କେନ୍ଦ୍ରାପଡ଼ା,୨୧/୦୯/୨୦୨୫(ଓଡ଼ିଶା ସମାଚାର)- ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍ଟେମ୍ୱରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ’ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ଜିଲା ପ୍ରଶାସନ ଓ ଜିଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ଏକ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି ।
ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲା ସଭାପତି ଶଶାଙ୍କ
ଶେଖର ସେଠୀ, ଜିଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କ୍ରୀଡା ସଂଘର କ୍ରୀଡ଼ାବିତ, ସ୍ୱେଛାସେବୀଙ୍କ ସମେତ ପାଖାପାଖି ୪ ଶହ ଜଣ ମାରାଥନରେ ସାମିଲ ହୋଇଥିଲେ । ମାରାଥନଟି ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୁଣାବସଷ୍ଟାଣ୍ଡ -କେନ୍ଦ୍ରାପଡ଼ା ହାଇସ୍କୁଲ – କାଳୀମନ୍ଦିର ଛକ -ଗରାପୁର ଗାନ୍ଧିଛକରୁ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା ।
