ଯାଜପୁର, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଏବଂ କିଶୋର-କିଶୋରୀମାନଙ୍କର ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷ, ଯାଜପୁର ଠାରେ “ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା (୨୦୨୬-୨୦୨୯)”ର କାର୍ଯ୍ୟନ୍ୱୟନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଯୋଜନା ପୁସ୍ତକ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଯାଜପୁର ପକ୍ଷରୁ ବାଲ୍ୟ ବିବାହ ନିରାକରଣ ଉପରେ ଏକ ଦିନିକିଆ ତାଲିମ୍–କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟ ଯୋଜନା ମାଧ୍ୟମରେ ଆଗାମୀ ତିନି ବର୍ଷ (୨୦୨୬-୨୦୨୯) ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ପ୍ରଶାସନ, ପୁଲିସ, ଶିଶୁ ମଙ୍ଗଳ କମିଟି, ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ସାମାଜିକ ସଂଗଠନଗୁଡ଼ିକ ମିଳିତ ଭାବେ ସମନ୍ୱୟ ରକ୍ଷା କରି ବାଲ୍ୟ ବିବାହ ନିରୋଧ ଆଇନ୍, ୨୦୦୬ କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବେ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀ ଯୁଧିଷ୍ଠିର ନାଏକ କହିଲେ
ବାଲ୍ୟ ବିବାହ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ଆମ ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ଭବିଷ୍ୟତ ବିରୋଧରେ ଏକ ବଡ଼ ଅପରାଧ।ସମାଜର ଏହି କୁପ୍ରଥା କୁ ଦୂରୀକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏହି ବାଲ୍ୟ ବିବାହ କୁପ୍ରଥା କୁ ଦୂରକରି ପିଲାମାନଙ୍କ ଭବିଷ୍ୟତ କିପରି ସୁନ୍ଦର କରି ଗଢ଼ି ତୋଳିବା ସେ ଦିଗରେ ସଚେତନ ହେବା ଉଚିତ୍ । ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ କିପରି ପ୍ରତିଫଳିତ କରିପାରିବା ଯାହାଦ୍ୱାରା ପିଲାମାନେ ଏହାର ସଦୁପୋଯଗ କରିପାରିବେ ସେ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଆଜି ଆମେ ‘ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା (୨୦୨୬-୨୦୨୯)’ର ଶୁଭାରମ୍ଭ କରିଛୁ।
ଏହି ନୂତନ ୩-ବର୍ଷିଆ ଯୋଜନା ମାଧ୍ୟମରେ ଆମେ କେବଳ ସହରରେ ନୁହେଁ, ବରଂ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ, ଗ୍ରାମ ଏବଂ ୱାର୍ଡ ସ୍ତରରେ ‘ଶିଶୁ ସୁରକ୍ଷା କମିଟି’କୁ ଅଧିକ କ୍ରିୟାଶୀଳ କରିବୁ। ଆମର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ ଏବଂ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆମାନେ ତୃଣମୂଳ ସ୍ତରରୁ ସଚେତନତା ସୃଷ୍ଟି କରିବା ସହ ବାଲ୍ୟ ବିବାହର ସୂଚନା ସଂଗ୍ରହ କରିବେ। ବାଲ୍ୟ ବିବାହ ଦୂରୀକରଣ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।
ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀ ଘାସିରାମ ପଣ୍ଡା ଯୋଗଦେଇ କହିଲେ ବାଲ୍ୟ ବିବାହ କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଏହା ଏକ ଗଭୀର ସାମାଜିକ ଓ ମାନସିକ ସମସ୍ୟା। ଏହାକୁ କେବଳ ପୁଲିସ କିମ୍ବା କୋର୍ଟ-କଚେରୀ ବଳରେ ସମ୍ପୂର୍ଣ୍ଣ ରୋକାଯାଇ ପାରିବ ନାହିଁ; ଏଥିପାଇଁ ଆମକୁ ଗୋଷ୍ଠୀଗତ ସଚେତନତା ଓ ମନୋଭାବରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ଆଜି ଯାଜପୁର ଜିଲ୍ଲାରେ ଉନ୍ମୋଚିତ ହୋଇଥିବା ଏହି ‘ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା (୨୦୨୬-୨୦୨୯)’ର ମୁଖ୍ୟ ବିଶେଷତ୍ୱ ହେଉଛି— ଏହା ତୃଣମୂଳ ସ୍ତରରୁ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଏ। ଆମକୁ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟିକୁ ସକ୍ରିୟ କରିବା ସହ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆମାନଙ୍କୁ ସୁରକ୍ଷା କବଚ ଭାବେ ଗଢ଼ିତୋଳିବାକୁ ହେବ।
ଏହାସହ ସ୍କୁଲ୍ରୁ ପାଠ ଛାଡ଼ୁଥିବା (Drop-out) କିଶୋର-କିଶୋରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁନର୍ବାର ଶିକ୍ଷା ଓ କୌଶଳ ବିକାଶ (Skill Development) ସହ ଯୋଡ଼ିବା ଆମର ପ୍ରାଥମିକତା ହେବା ଦରକାର, କାରଣ ଶିକ୍ଷା ଓ ଆତ୍ମନିର୍ଭରଶୀଳତା ହିଁ ବାଲ୍ୟ ବିବାହ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର।
ଯଦି ପ୍ରଶାସନ, ସାମାଜିକ ସଂଗଠନ, ଗଣମାଧ୍ୟମ ଏବଂ ସାଧାରଣ ନାଗରିକ ଏକାଠି ହୋଇ କାର୍ଯ୍ୟ କରିବେ, ତେବେ ନିଶ୍ଚିତ ଭାବେ ଆଗାମୀ ତିନି ବର୍ଷ ମଧ୍ୟରେ ଯାଜପୁର ଏକ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଉଭା ହୋଇପାରିବ।
ଶିକ୍ଷା, ସଚେତନତା ଏବଂ ଗୋଷ୍ଠୀଗତ ଭାଗିଦାରୀ ମାଧ୍ୟମରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ।
ଏହି ଉନ୍ମୋଚନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାଏକ, ଶିଶୁ ମଙ୍ଗଳ କମିଟି (CWC) ଅଧ୍ୟକ୍ଷ ଶ୍ରୀ ଦିବ୍ୟଭୂଷଣ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ଜିଲ୍ଲା ଆରକ୍ଷୀ ବିଭାଗର ଡି.ଏସ୍.ପି. , ମିଶନ ଶକ୍ତିର ଡି.ପି.ସି. ଏବଂ ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀ ଘାସିରାମ ପଣ୍ଡା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟ ଯୋଜନା ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
