ସେବାପର୍ବ -୨୦୨୫ ଉପଲକ୍ଷେ ଜିଲାସ୍ତରୀୟ ଏକଦିବସୀୟ କର୍ମଶାଳା

କେନ୍ଦ୍ରାପଡ଼ା, ୨୦/୦୯/୨୦୨୫(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ “ସେବାପର୍ବ- ୨୦୨୫” ଉପଲକ୍ଷେ ଏକ ଜିଲାସ୍ତରୀୟ ଏକଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ବୃତିଗତ ଚିତ୍ରକରମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସଦର ମହକୁମାସ୍ଥିତ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅୟୋଜିତ ହୋଇଯାଇଛି ।

“ବିକଶିତ ଭାରତ-୨୦୪୭’ ଶୀର୍ଷକରେ ଅୟୋଜିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଚିତ୍ରକରମାନେ ରଙ୍ଗ ତୁଳୀ ମାଧ୍ୟମରେ ନିଜ ସୃଜନଶୀଳତା ଏବଂ ପ୍ରତିଭା ପ୍ରଦର୍ଶନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲାର ଚିତ୍ରକର ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରଘୁନାଥ ବେହେରା ବିଚାରକ ହିସାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ଭବିଷ୍ୟତରେ କିପରି ନିଜର ସୃଜନଶୀଳତାକୁ ଆହୁରି ଦୃଢ କରିପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ ।

ବୃତିଗତ ଚିତ୍ରକର ବର୍ଗରେ ଶତାବ୍ଦୀ ରାଉତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଭଞ୍ଜନ ପଣ୍ଡା ଏବଂ ମହେଶ୍ୱର ଦାସ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୂଚନାଯୋଗ୍ୟ ଯେ ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରକରମାନଙ୍କର ଚିତ୍ର ଆସନ୍ତା ୨୮ ସେପ୍ଟେମ୍ବରରେ ଅୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାରେ ପ୍ରଦର୍ଶିତ ହେବ । ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଜିଲା କାର୍ଯ୍ୟାଳୟର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *