ନିଶ୍ଚିନ୍ତକୋଇଲି,୧୯/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀ ତଟରେ ମା ଅଷ୍ଟାଦଶଭୁଜା ଦୁର୍ଗାଙ୍କର ତ୍ରିଂଶତମ ବାର୍ଷିକ ଦୁର୍ଗାପୂଜା ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ର କର୍ମକର୍ତ୍ତା ଓ ସଦସ୍ୟ ମାନେ ମା’ ଅଷ୍ଟାଦଶ ଭୁଜାଦୁର୍ଗା ଙ୍କ ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।
କମିଟି ଦ୍ୱାରା ପ୍ରସ୍ତୁତ କାର୍ୟ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୮ ତାରିଖ ବିଲ୍ୱାଧୀବାସ, ୨୯ତାରିଖ ସପ୍ତମୀ ପୂଜା, ୩୦ତାରିଖ ମହାଷ୍ଟମୀ ଦୁର୍ଗାବ୍ରତଅନୁଷ୍ଠିତ ହେବ । ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ବ୍ୟକ୍ତି ଗତ ମାନସିକ ପଣାହାଣ୍ଡି ନହୋଇ ସାମୁହିକ ପଣାଭୋଗ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୂର୍ବରୁ ଦେୟ ପୈଠ କରି ହାସଲ କରିଥିବା ରସିଦ କାଉଣ୍ଟର ରେ ଦେଖାଇ ଭକ୍ତ ମାନେ ପଣା ପ୍ୟାକେଟ ସଂଗ୍ରହ କରିପାରିବେ ।
ସେହିପରି ଅକ୍ଟୋବର ୧ ତାରିଖ ମହାନବମୀ ପୂଜା, ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଦଶହରା ପୂଜା ଅନୁଷ୍ଠିତ ହେବ । ଉକ୍ତଦିନ ବିଜୟ ଯାତ୍ରା ଓ ଘଟ ବିସର୍ଜନପୂଜା ପରେ ରାତ୍ର ୯.୩୦ ସମୟରେ ସଟସର୍କିଟ ମାଧ୍ୟମରେ ରାବଣ ପୋଡି ଉତ୍ସବ ଓ ଆତସବାଜୀ ପ୍ରଦର୍ଶନ ସହ ଭଷାଣି ଯାତ୍ରା ଅନୁଷ୍ଠିତ ହେବ । ତେବେ ପୂଜା ସମୟକୁ ଲଘୁଚାପ ସୃଷ୍ଟିର ସମ୍ଭାବନା ନେଇ ପାଣିପାଗ ବିଭାଗ ର ସୂଚନା ରହୁଥିବାରୁ ଆୟୋଜକ ତଥା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।
