୪,୭୩୯ କୋଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର,୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ‘ସମୃଦ୍ଧ ଓଡିଶା ୨୦୩୬’ ଦୃଷ୍ଟିକୋଣକୁ ଆଗେଇ ନେଇଯିବା ପାଇଁ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଥିବାବେଳେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମତୁଲ ଆଂଚଳିକ ବିକାଶକୁ ଦୃଷ୍ଟି ଦେଇ ସମାବେଶୀ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରୁଛନ୍ତି । ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଡବ୍ଲୁସିଏ)ର ୧୪୦ତମ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୪,୭୩୯ କୋଟି ଟଙ୍କାର ମୋଟ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ ଓ ଗଜପତି ଜିଲାରେ ୨୫,୨୦୦ଟି ନୂତନ ନିଯୁକ୍ତି ସୃଷ୍ଟି ହେବ । ନୂଆ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବୟନ ଶିଳ୍ପ, ଇସ୍ପାତ, ରସାୟନ, ସୂଚନା ପ୍ରଯୁକ୍ତି, ଭିତିଭୂମି, ଲଜିଷ୍ଟିକ୍ସ, ନବୀକରଣ ଯୋଗ୍ୟ ଉର୍ଜା, ପର୍ଯ୍ୟଟନ, ଧାତୁ ଉପରେ ନିର୍ଭରଶୀଳ ଶିଳ୍ପ, ସର୍କୁଲାର ଇକୋନୋମି , ଶୀତଳ ଭଣ୍ଡାର ଓ ଉତ୍ପାଦନ ସାମଗ୍ରୀ ଆଦି ମୋଟ ୧୩ଟି ମୁଖ୍ୟ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପାୟନରେ ନିରନ୍ତରତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ପ୍ରକାଶ କରୁଛି । ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସୂଚନା ପ୍ରଯୁକ୍ତି ତଥା ଆଇଟି ସକ୍ଷମ ସେବା କ୍ଷେତ୍ରରେ ଲିନ୍ଡେ ଇଣ୍ଡିଆ ଲିମିଟେଡ ଖୋର୍ଦ୍ଧାରେ ପରିବହନ ଏବଂ ଦୂରରୁ ପରିଚାଳନା(ରିମୋଟ ଅପରେସନ) ପାଇଁ ଏକ ବୈଶ୍ୱିକ କୌଶଳ କେନ୍ଦ୍ର ସ୍ଥାପନ କରିବ ।
ବସ୍ତ୍ର, ପୋଷାକ ଓ ପ୍ରାଯୁକ୍ତିକ ବସ୍ତ୍ର କ୍ଷେତ୍ରରେ କଲରଟୋନ୍ ଟେକ୍ସଟାଇଲ୍ସ ପ୍ରା.ଲି. ଖୋର୍ଦ୍ଧାରେ ସମନ୍ୱିତ ବସ୍ତ୍ର କେନ୍ଦ୍ର ସୁବିଧା ସ୍ଥାପନ କରିବ । ଟେକ୍ନୋ ଆକ୍ଟିଭ୍ୱେୟାର୍ ପ୍ରା.ଲି.କଟକରେ କ୍ରୀଡା ପୋଷାକ ଫେବ୍ରିକ୍ ଓ ପୋଷାକ ୟୁନିଟ୍ ପାଇଁ ୧୦୦ କୋଟି ଟଙ୍କା ନିବେଶ କରିବ । ଏସ୍.ସି.ଏମ୍ ଗାର୍ମେଣ୍ଟ୍ସ ପ୍ରା.ଲି.କଟକରେ ଏକ ବୃହତ ବୁଣା ପୋଷାକ ୟୁନିଟ୍ ପାଇଁ ୧୫୦ କୋଟି ଟଙ୍କା ନିବେଶ କରି ୪,୦୦୦ନିଯୁକ୍ତି ସୃଷ୍ଟି କରିବ । ପର୍ଫେକ୍ଟ ଇନ୍ଫ୍ରା ଭିଜନ୍ ପ୍ରା.ଲି.ବଲାଙ୍ଗିରରେ ବସ୍ତ୍ର ଓ ଆନୁଷଙ୍ଗିକ ଉତ୍ପାଦ ୟୁନିଟ୍ ବସାଇବ । ୱାଭିନୋଭା ପ୍ରା.ଲି. କଟକରେ ସ୍ୱାସ୍ଥ୍ୟ ସେବା ଓ ହସ୍ପିଟାଲ୍ ପାଇଁ ଅବୁଣା ବ୍ୟବହାରଯୋଗ୍ୟ ସାମଗ୍ରୀ ୟୁନିଟ୍ ,ପିଉ ଫ୍ୟାସନ୍ ପ୍ରା.ଲି.ଖୋର୍ଦ୍ଧାରେ ପୋଷାକ ଇଉନିଟ୍, ଅଦିତି ଲାଇଫ୍ ଷ୍ଟାଇଲ୍ ପ୍ରା.ଲି., ଏସୱାଇସିଇ ଇଣ୍ଡିଆ (ଓପିସି) ପ୍ରା.ଲି.,ଇସ୍ପାତ କ୍ଷେତ୍ରରେ କୋଣାର୍କ ଇସ୍ପାତ, ମାସକଟ୍ ଇଲେକ୍ଟ୍ରୋମେକ୍ ପ୍ରା.ଲି. ମୟୂରଭଞ୍ଜରେ ଫ୍ୟାବ୍ରିକେସନ୍ ଓ ଗାଲଭାନାଇଜିଂ ୟୁନିଟ,ସାଇର୍ଜା ଇଂଟରପ୍ରାଇଜ୍ ପ୍ରା.ଲି.ଅନୁଗୋଳରେ ଗୋଦାମ ଓ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରିବ । ଓଡ଼ିଶାର ଗତିଶୀଳ ଶାସନ, ରଣନୈତିକ ଦୃଷ୍ଟିଭଙ୍ଗୀ ଓ ସୁଦୃଢନୀତିଗତ ଢାଂଚା, ବ୍ୟବସାୟ କରିବା ପାଇଁ ସୁବିଧା ଜନକ ପରିବେଶକୁ ପ୍ରୋତ୍ସାହିତ କରୁଛି, ଫଳରେ ଓଡ଼ିଶା ଭାରତର ପସନ୍ଦଯୋଗ୍ୟ ନିବେଶ ସ୍ଥଳ ଭାବେ ଦ୍ରୁତ ପ୍ରତୀୟମାନ ହେଉଛି ।
