ଗରଦପୁର ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ରେ ୫୨୫ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କଲେ

ପାଟକୁରା ୧୯/୦୯/୨୦୨୫ (ଓଡିଶା ସମାଚାର )ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଏବଂ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ଓ ଗରଦପୁର ପଞ୍ଚାୟତ ସମିତି ସହଯୋଗରେ ଏକ ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ବ୍ଲକର ନୈନ୍ଦିପୁର ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତହୋଇଯାଇଛି । ବ୍ଲକର ବିଭିନ୍ନ ଗ୍ରାମରୁ ଶିବିରକୁ ଆସିଥିବା ୫୨୫ଜଣ ଦିବ୍ୟାଙ୍ଗ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ।

ସେମାନଙ୍କ ମଧ୍ୟରେ ଶ୍ରବଣଜନିତ ୫୮ଜଣ ଥିବାବେଳେ ଦୃଷ୍ଟି ବାଧକ ୬୧ଜଣ, ଅସ୍ତିଶଲ୍ୟ ୨୮୨ଜଣ, ଶିଶୁ ବିଭାଗର ୨୨ଜଣ ଓ ମାନସିକ ବିଭାଗର ୧୦୨ଜଣ ଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କ ଭିନ୍ନ କ୍ଷମତା ପରୀକ୍ଷା କରାଯାଇ ସେମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ଅସ୍ତି ଶଲ୍ୟ ବିଶେଷଜ୍ଞ ଡ଼:ପ୍ରଶାନ୍ତ କୁମାର ସାହୁ,ଭେଷଜ ବିଶେଷଜ୍ଞ ଡ଼:ସଂଜିତ କୁମାର ସେଠୀ,ଶିଶୁ ରୋଗ ବିଶେଷଜ୍ଞ ଡ଼:ପ୍ରଶାନ୍ତ କୁମାର ଜେନା,ଗଳା-ନାଶା-କର୍ଣ୍ଣ ବିଭାଗ ର ଡ଼:ଅସିତ କୁମାର ବିଶ୍ୱାଳ, ଚକ୍ଷୁ ବିଭାଗର ଡ଼:ସତ୍ୟ ସୁନ୍ଦର ବିଶ୍ୱାଳ,ମାନସିକ ବିଭାଗ ଡ଼:ସଚ୍ଚିଦାନନ୍ଦ ନାୟକ, ବାକ ଶ୍ରବଣ ବିଭାଗ ଡ଼:ଚନ୍ଦନ ବେହେରା, ସତ୍ୟବ୍ରତ ଜେନା, ସ୍ୱପ୍ନାମଞ୍ଜରୀ ଦାଶ, ଡ଼:ଶ୍ରଦ୍ଧାଞ୍ଜଳି ମହାନ୍ତି ପ୍ରମୁଖ ଦିବ୍ୟାଙ୍ଗ ମାନଙ୍କ ଭିନ୍ନକ୍ଷମତା ପରୀକ୍ଷା କରିଥିଲେ ।

ତେବେ ପାଖଡ଼ ଗ୍ରାମର ରେଖା ଜେନା ବୟସ ୪୫ବର୍ଷଙ୍କ ର ଦୁଇଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ସତ୍ୱେ ତାଙ୍କୁ ଭିନ୍ନକ୍ଷମତା ୬୦ଭାଗ ଦିଆଯାଇଥିବାରୁ ତାଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିଭଳି ପାଖଡ଼ ଗ୍ରାମର ଗୃହଲକ୍ଷ୍ମୀ ବେହେରା ବୟସ ୨୧ଙ୍କର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅକାମି ହୋଇଥିବା ସତ୍ୱେ ତାଙ୍କୁ ମଧ୍ୟ ଭିନ୍ନ କ୍ଷମତା ଶତକଡା ପଚାଶ ଭାଗ ଦିଆଯାଇଥିବାରୁ ତାଙ୍କ ପରିବାର ଲୋକେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଶିବିରର ଉଦ୍ଘାଟନୀ ଉତ୍ସବରେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହେରା, ପାଟକୁରା ବିଧାୟକଙ୍କ ବ୍ଳକ ପ୍ରତିନିଧି ତଥା ବିଜେଡି ଯୁବ ନେତା କ୍ଷିତୀଶ ଚନ୍ଦ୍ର ଦାଶ,ଅତିରିକ୍ତ ବିଡ଼ିଓ ସଞ୍ଜୟ ଦାଶ,ଜିଲ୍ଲାପରିଷଦ ସଦସ୍ୟା ତଥା ଭାଜପା ନାରୀନେତ୍ରୀ ଡଲି ଶତପଥୀ, ଭାଜପା ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ,ଆତ୍ମା ଅଧ୍ୟକ୍ଷ  ବାସୁଦେବ ବେହେରା, ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଅଶୋକ ଜେନା ପ୍ରମୁଖ ଭୀମଭୋଇ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ଜାଳି ଶିବିର ଉଦଘାଟନ କରିଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ଦାଶ,ନିର୍ବାହୀ ଅଧିକାରୀ ଚୈତନ ବିଶ୍ୱାଳ, ସତ୍ୟଜିତ ଲେଙ୍କା, ଶୁଭଶ୍ରୀ ନାୟକ, ପବିତ୍ର ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *