ସର୍ଟ ସର୍କିଟ ଯୋଗୁଁ ଗଜପତିରେ ଜଳିଗଲା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟି, ୨ କୋଟିରୁ ଉର୍ଦ୍ଧ ସମ୍ପତ୍ତି କ୍ଷତି

୨୦ ଘଣ୍ଟା ବିତିଲା ତଥାପି ଜଳୁଛି ନିଆଁ

ପାରଳାଖେମୁଣ୍ଡି, ୨୧/୧୦/୨୦୨୫ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତରେ ଥିବା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ ୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି । ବର୍ତ୍ତମାନ ଖବର ଲେଖିବା ସମୟ ସୁଦ୍ଧା ୨୦ ଘଣ୍ଟାରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ଘଟଣାରୁ ପ୍ରକାଶ, ଗତକାଲି ଦୀପାବଳି ପାଇଁ ଜଗନ୍ନାଥ ଇଣ୍ଡଷ୍ଟ୍ରିର ସମସ୍ତ କର୍ମଚାରୀ ଓ ମାଲିକ ସମସ୍ତ କାମ ସାରି ଇଣ୍ଡଷ୍ଟ୍ରିକୁ ବନ୍ଦ କରି ସନ୍ଧ୍ୟା ପୂର୍ବରୁ ନିଜ ନିଜ ଘରକୁ ଫେରି ଯାଇଥିଲେ ।

ଗତକାଲି ରାତ୍ର ଠିକ ୯ ଟା ବେଳେ ଏହି ଇଣ୍ଡଷ୍ଟ୍ରିରେ ହୁତହୁତ ହୋଇ ନିଆଁ ଲାଗିଥିବା ଦେଖି ମାଲିକ ବିଭି ଜଗନ୍ନାଥ ରାଓଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଖବର ଦେଇଥିଲେ. ସମ୍ପୃକ୍ତ ମାଲିକ ଆନ୍ଧ୍ର ପଲାସା ଗ୍ରାମର ହୋଇଥିଲେ ବି ଗଜପତିର ଲାବଣ୍ୟଗଡ଼ ଠାରେ ଇଣ୍ଡଷ୍ଟ୍ରି କରିଥିଲେ । ଲୋକଙ୍କ ଠାରୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରି ଠାରୁ ମାତ୍ର ୧୫ କିମି ଦୂରରେ ରହୁଥିବା ମାଲିକ ଜଗନ୍ନାଥ ରାଓ ରାତ୍ର ୯: ୩୦ ସୁଦ୍ଧା ଆସି ପହଞ୍ଚି ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଇଣ୍ଡଷ୍ଟ୍ରିର ଫାଟକକୁ ତରବରିଆ ଭାବେ ମାଲିକ ଜଗନ୍ନାଥ ଖୋଲିବା ଯୋଗୁଁ ଅଗ୍ନିର ପ୍ରଖର ତାପରେ ଅଚେତ ହୋଇ ତଳେ ପଡି ଯାଇଥିଲେ ।

ଡାକ୍ତରଙ୍କ ପରାମର୍ଶ ଯୋଗେ ତାଙ୍କ ପରିବାରବର୍ଗ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଜରୁରୀ ଚିକିତ୍ସା ଯୋଗାଇବା ଯୋଗୁଁ ସେ ବିପଦମୁକ୍ତ ଥିବା ଜଣାଯାଇଛି । ଅପରପକ୍ଷରେ ନିଆଁ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ଗତରାତ୍ର ଠାରୁ ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତଥାପି ବର୍ତ୍ତମାନ ଖବର ଲେଖିବା ସୁଦ୍ଧା ୨୦ ଘଣ୍ଟା ରୁ ଉର୍ଦ୍ଧ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । କୁହାଯାଉଛି ଯେ ଏହି କାଜୁ ଇଣ୍ଡଷ୍ଟ୍ରିରେ ଗଛିତ ଥିବା ଚୋପା ବାହାରି ନ ଥିବା କାଜୁରେ ନିଆଁ ଲାଗିବା ଦ୍ୱାରା ସେଥିରୁ ତେଲ ବାହାରିବା ଯୋଗୁଁ ନିଆଁର ପ୍ରଖରତା ବଢିବା ସହ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ  ।

ତଥାପି ନିଆଁକୁ ଆୟତ୍ତ ପାଇଁ ବହୁ ପ୍ରୟାସ ଜାରି ରହିଛି । ହୁତହୁତ ହୋଇ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ମାଲିକଙ୍କ ସମ୍ପର୍କୟ ଓ କର୍ମଚାରୀମାନେ ମଧ୍ୟ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଛନ୍ତି । ପ୍ରାଥମିକ ଭାବେ ୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ଘଟିଥିବା ସମସ୍ତେ ସନ୍ଦେହ କରୁଛନ୍ତି  ।

Leave a Reply

Your email address will not be published. Required fields are marked *