ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ଅଯୋଧ୍ୟା-ବାରଣାସୀ ଅଭିମୁଖେ ତୀର୍ଥଯାତ୍ରା

ଜଗତସିଂହପୁର,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୨ ଗୋଟି ବସ୍ ଓ ଏକ ବୋଲେରୋ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତୀଚୀ ତନୟା ମହାନ୍ତି , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ସୁଶ୍ରୀ ହରପ୍ରିୟା ପୃଷ୍ଟି ଯୋଗଦାନ ପୂର୍ବକ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ ।

ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ  ଜିଲ୍ଲାରୁ ସହାୟକ ଅଧିକାରୀ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲୀପ କୁମାର ଜେନା ,ଶ୍ରୀ ସାରଦା ପ୍ରସନ୍ନ ସାହୁ  ଓ ଶ୍ରୀ ରାଧା ମୋହନ ଜେନା ଗସ୍ତ କରିଛନ୍ତି ।

ଆସନ୍ତାକାଲି ତା.୧୦.୦୯.୨୦୨୫ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଵତନ୍ତ୍ର ଟ୍ରେନ ଯୋଗେ ସେମାନେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିବେ । ଆଜି ସକାଳେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *