ଶିମିଳିପାଳରୁ ଖୁସି ଖବର: ବାଘୁଣୀ ଜିନ୍ନତ ହେଲା ମା’, ୪ଶାବକଙ୍କୁ ଦେଲା ଜନ୍ମ

ବାରିପଦା, ୦୨/୦୬/୨୦୨୬ (ଓଡ଼ିଶା ସମାଚାର)-   ଶିମିଳିପାଳରୁ ଆସିଲା ଖୁସିର ଖବର । ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଗଞ୍ଜନା ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ବାଘୁଣୀ ‘ଜିନ୍ନତ’ ମା’ ହୋଇଛି । ୩ସପ୍ତାହ ତଳେ ସେ ୪ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି । ବାଘୁଣୀ ‘ଜିନ୍ନତ’ ମା’ ହେବାପରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ପୁଣି ଖୁସି ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା । ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଏହି ଖବର ପରେ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶିମିଳିପାଳର ବାଘ ସଂରକ୍ଷଣ ଚେଷ୍ଟାକୁ ନୂଆ ଗତି ମିଳିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି :

ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଆଜି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ ‘ଜିନତ’ ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଛି। ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ନୁହେଁ, ବରଂ ଜୈବ ବିବିଧତାର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ଓ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ଆମ ପ୍ରଶାସନିକ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ।
ମା’ ଓ ଶାବକମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେମାନଙ୍କ ଗତିବିଧି ଉପରେ କ୍ରମାଗତ ନଜର ରଖାଯାଇଛି। ଆମ ବନ କର୍ମଚାରୀଙ୍କ ନିଷ୍ଠାପର ତଦାରଖ ଓ କାର୍ଯ୍ୟକ୍ଷମ ସଂରକ୍ଷଣ ନୀତି ଯୋଗୁଁ ଆଜି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଶିମିଳିପାଳର ଏହି ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

A landmark success for Odisha’s wildlife conservation efforts. Zeenat, one of the tigresses translocated from Tadoba-Andhari Tiger Reserve to Similipal, has given birth to four healthy cubs in the core area of Similipal Tiger Reserve. This milestone strengthens Similipal’s tiger population and genetic diversity, reflecting the success of science-led conservation and the dedicated efforts of our forest staff.

https://x.com/CMO_Odisha/status/2061734285107990682

 

Leave a Reply

Your email address will not be published. Required fields are marked *