ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଦଖଲ ମାମଲା:

ଉଛେଦ ପ୍ରକ୍ରିୟା ହାଇକୋର୍ଟରେ କାଏମ ରହିବାରୁ ହାଟସାହି ଗ୍ରାମବାସୀଙ୍କ ଚିନ୍ତା ବଢିଲା

ଦୀର୍ଘ ବର୍ଷର ଦଖଲ ଵା ଆଧାର କାର୍ଡ ଜମି ର ଅଧିକାର ଦିଏ ନାହିଁ

କଟକ ସଦର, ୦୯/୦୯/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଅମୃତ ମଣୋହି ସଂପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର।୫୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହି ଜମିକୁ ଦଖଲ କରିଥିଲେ ମଧ୍ୟ ସେମାନଙ୍କ ନାଁ ରେ ଉକ୍ତ ଜମି ଦରଜ ହୋଇପାରିବ ନାହିଁ। ଏପରିକି ଏହି ଜମି ଉପରେ ଥିବା ଦଖଲକାରୀ ନିଜର ଭୋଟ ପରିଚୟପତ୍ର,ଆଧାର କାର୍ଡ,ରାସନ କାର୍ଡ, ବିଦ୍ୟୁତ ସଂଯୋଗ ଭଳି ସବୁ ସୁବିଧା ହାସଲ କରିଥିଲେ ମଧ୍ୟ ଅମୃତ ମଣୋହି ଜମି ଉପରେ ସେମାନଙ୍କର ଦଖଲ ଅଧିକୃତ ନୁହେଁ କି ଜମି ଉପରେ ସେମାନଙ୍କର ଆଇନଗତ ଅଧିକାର ପ୍ରଦାନ କରିନଥାଏ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାର ବିବରଣୀ ରୁ ପ୍ରକାଶ ଯେ କଟକ ସଦର ତହସିଲ ଅନ୍ତର୍ଗତ ପରମହଂସ ପଞ୍ଚାୟତ ହାଟସାହି ମୌଜାରେ ଥିବା ଶ୍ରୀଜଗନ୍ନାଥ ଙ୍କ ଅମୃତ ମଣୋହି ଜମି ଗ୍ରାମର ଶତାଧିକ ଲୋକେ ବର୍ଷ ବର୍ଷ ଧରି ଘରଦ୍ୱାର କରି ଭୋଗଦଖଲ କରିଆସୁଛନ୍ତି। ତହସିଲ ପ୍ରଶାସନ ପକ୍ଷରୁ ୨୦୨୪ ରେ ଉକ୍ତ ଜମିକୁ ଜବର ଦଖଲ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବେଳେ ଦଖଲକାରୀ ମାନେ ଉପଯୁକ୍ତ ମୂଲ୍ୟ ଦେଇ ନିଜ ନାମରେ ଜମି ଦରଜ କରିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲେ।

ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଅଗ୍ରାହ୍ୟ କରିଦେଇଥିବାରୁ ଆବେଦନକାରୀ ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ଉଛେଦ ପ୍ରକ୍ରିୟା କୁ କାଏମ ରଖିଥିବା ରୁ ହାଟସାହି ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି।ଏପରି କି ଶ୍ରୀ ମନ୍ଦିର ସଂପତ୍ତି ରୁ ଜବରଦଖଲ ଉଚ୍ଛେଦ ପାଇଁ ଓପିଏଲଇ(ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ) ଆଇନ୍ ଧାରା ୧୯୭୨ ଅନୁସାରେ ନିୟମ ଅନୁଯାୟୀ ଉଛେଦ ପ୍ରକ୍ରିୟା ଜିଲ୍ଲା ପ୍ରଶାସନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସେହିପରି ଶ୍ରୀ ମନ୍ଦିର ଆଇନ୍ ୧୯୫୫ ଧାରା ୧୬ (କ) ଅନୁସାରେ ମହାପ୍ରଭୁ ଙ୍କ ଜମି ବେଆଇନ ଜବରଦଖଲ ହୋଇଥିଲେ ଜବର ଦଖଲକାରୀ ଙ୍କ ବିରୁଦ୍ଧରେ ଓପିଏଲ ର ଲାଗୁ କରାଯିଵ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *