ଜଗତସିଂହପୁର, ୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ଗରିବଙ୍କ ପାଇଁ ଆଇନ ସେବା ସଂସ୍ଥା (କ୍ଲାପ୍) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୁଲ୍ଯରେ ଭାରତରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ତିନୋଟି ଫୌଜଦାରୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷ୍ୟା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ-୨୦୨୩ ସମ୍ପର୍କରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଜିଲ୍ଲା ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ସୁବାସ ଭୂଷଣ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଜିଲ୍ଲା ଅଦାଲତ ନିବନ୍ଧକ ବିଶ୍ଵକଳ୍ପିତା ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲା ଜଜ୍ ଶ୍ରୀ ପ୍ରତିହାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଅଧିକାରକୁ ଅବଗତ କରାଇବା ସହ ଅଦାଲତ ଏବଂ ସରକାରୀ ସ୍ତରରେ ସହାୟତା କରିବା ହେଉଛି ପାରା ଲିଗାଲ୍ ସ୍ଵେଚ୍ଛାସେବୀଙ୍କ ମୂଳ କର୍ତ୍ତବ୍ୟ।
ଅଦାଲତ ଏବଂ ଜନସାଧାରଣ ମଧ୍ୟରେ ପାରା ଲିଗାଲ୍ ସ୍ଵେଚ୍ଛାସେବୀ ଏକ ସେତୁ ପରି କାର୍ଯ୍ୟ କରିବା ଉଚିତ । ଉତ୍ତମ ସେବା ପ୍ରଦାନ କରିବା ସହ ଆଇନ ସେବା ପ୍ରାଧୀକରଣକୁ କିପରି ଲୋକାଭିମୁଖୀ କରାଯାଇପାରିବ ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ମହାପାତ୍ର କ୍ଲାପ୍ ସହିତ ପାରା ଲିଗାଲ୍ ସ୍ଵେଚ୍ଛାସେବୀ କିପରି କାର୍ଯ୍ୟ କରିପାରିବେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପାରା ଲିଗାଲ୍ ସ୍ଵେଛାସେବୀମାନଙ୍କୁ ତାଲିମ ପୁସ୍ତିକା ଅନୁଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଦିଆଯିବା ସହ ତୃଣ ମୂଳ ସ୍ତତରେ କିପରି ଆଇନ ସେଚେତନତା ସୃଷ୍ଟି କରିହେବ ଏହି ବିଷୟରେ ଗୁରୁତ୍ଵ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ କ୍ଲାପ୍ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ସଦାନନ୍ଦ ବାଗ୍, କାର୍ଯ୍ୟକ୍ରମ ପରିଚାଳିକା ବିଜୟଶ୍ରୀ ବାରିକ, ଆଇନଜିବୀ ଚନ୍ଦ୍ରଦେବ ପୁରୋହିତ ପ୍ରମୁଖ ପରିଚାଳନା କରିଥିଲେ ।
