ଓଡିଶା ପତ୍ରକାର ସଂଘର ୧୬ତମ ପ୍ରତିଷ୍ଠା ଦିବସ

ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ସମାଜକୁ ଦିଗଦର୍ଶନ ଦିଏ
ଭୁବନେଶ୍ୱର,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ସମାଜ ଓ ରାଷ୍ଟ୍ରର ବିକାଶ ପାଇଁ ସମ୍ବାଦପତ୍ରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ ଦ୍ୱାରା ସମାଜର ବିକାଶ ହେବା ସହ ରାଷ୍ଟ୍ରର ଉନ୍ନତି ହୋଇଥାଏ । ହେଲେ ବର୍ତମାନ ଦେଖାଯାଉଛି, ସମ୍ବାଦପତ୍ର ଓ ସାମ୍ବାଦିକମାନେ କିଛି ମାତ୍ରାରେ ଏଥିରୁ ବିଚୁ୍ୟତ ହେଉଛନ୍ତି । ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପ୍ରକାଶନ ଦ୍ୱାରା ସମାଜର ଅବହେଳିତ ଲୋକଙ୍କ କଥା ସରକାରଙ୍କ ନିକଟରେ ପହଂଚିପାରେ ଏବଂ ସେମାନଙ୍କ ସମସ୍ୟାର ଦୂର ହୁଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ପ୍ରତକାର ସଂଘର ୧୬ତମ ପ୍ରତିଷ୍ଠାଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ କହିଲେ ଯେ, ସାମ୍ବାଦିକମାନେ ଏକାଠି ହେଲେ ସେମାନଙ୍କ ସମସ୍ୟା ଦୂର ହେବା ସହ ସରକାର ମଧ୍ୟ ସେମାନଙ୍କ ଦାବି ପୂରଣ କରିବା ପାଇଁ ବାଧ୍ୟ ହେବେ । ସାମ୍ବାଦିକମାନଙ୍କ ଏକତା ଅଭାବରୁ ସେମାନେ ଆଜି ଅବହେଳିତ । ଅନ୍ୟତମ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ସମ୍ବାଦିକଙ୍କ ସମସ୍ୟା ଓ ସମ୍ବାଦ ପରିବେଷଣ ଉପରେ ଆଲୋକପାତ କରିଥିଲେ ।

ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରିବା ପାଇଁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କହିଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରମିକନେତା ମହେନ୍ଦ୍ର ପରିଡ଼ା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ଯୋଗଦେଇ ସାମ୍ବାଦିକମାନେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କଲେ ସମାଜର ତଳସ୍ତରରେ ଲୋକଙ୍କ ନ୍ୟାୟ ପାଇପାରିବେ ବୋଲି ମତ ରଖିଥିଲେ ।

ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ରାମଦାସ ଲିମା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିସହ ସାମ୍ବାଦିକଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡ଼ିଶା ପତ୍ରକାର ସଂଘର ୱେବସାଇଟ୍ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ୍ୟ ଉପସଭାପତି ସୁରେଶ ଦାଶ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଧୃତିଧର ଦାସ ।

Leave a Reply

Your email address will not be published. Required fields are marked *