ମାହାଙ୍ଗା,୦୯/୦୯/୨୦୨୫ (ଓଡିଶା ସମାଚାର / ଅଭୟ ଜେନା)- ବିରୂପା ନଦୀର ସାଲେପୁର ବ୍ଲକ କୁକୁଡାଙ୍ଗ ଘାଟକୁ ଗାଧୋଇବାକୁ ଯାଇଁ ନିଖୋଜ ଥିବା ଜନୈକ ଯୁବକର ମୃତଦେହ ଆଜି ଉଦ୍ଧାର ହୋଇଛି । ଜପକୁଦ ଫାଣ୍ଡି ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମର ବିଭୁ ପ୍ରସାଦ କାନୁନଗୋ (୩୫ ) ଗତ ରବିବାର ଦିନ ବିରୂପା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ ।
ଖବର ପାଇବା ପରେ ନଦୀ ଭିତରେ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ୩ ଦିନ ହେବ ଖୋଜାଖୋଜି କରୁଥିଲେ । ଉପର ମୁଣ୍ଡରୁ ବିରୁପାର ଜଳସ୍ତର ହ୍ରାସ ପାଇବା ପରେ ଆଜି କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜଇପୁର ଫାଣ୍ଡି ଠାରୁ ଅଳ୍ପ ଦୂରରେ ଲାପଟୁଆଁ ଗ୍ରାମ ନିକଟ ବିରୂପା ନଦୀ ପଠାରୁ ପାଣି ଭିତରେ ମୁହଁ ମାଡି ପଡ଼ିଥିବା ଅବସ୍ଥାରେ ବିଭୁଙ୍କ ଶବ ଉଦ୍ଧାର ହୋଇଛି । ପରିବାର ଲୋକେ ଘଟଣାସ୍ଥଳୀରେ ପହଂଚି ଶବକୁ ଚିହ୍ନଟ କରିଥିବା ବେଳେ, ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।
