ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଯାଜପୁର, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ୮ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଗାନ୍ଧିଛକ, ମେଡିକାଲ ଛକ ଓ କୁସୁମା ଦେଇ  ସହର ପରିକ୍ରମା କରି ଗୌତମ ବୁଦ୍ଧ ସଂସ୍କୃତି ଭବନ ନିକଟରେ ପହଂଚିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ଓ ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟଯେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୯ ତାରିଖ-୨୦୨୪ ଠାରୁ ୨୮ ନଭେମ୍ବର-୨୦୨୪ ପର୍ଯ୍ୟନ୍ତ ଚାଲୁ ରହିଛି । ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି । ତେଣୁ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦, ୧୬ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ଏହି ସଚେତନତା  କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ଦିବସ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ନାମ ପଞ୍ଜିକରଣ ଓ ସଂଶୋଧନ ପାଇଁ ଆବେଦନ ଗ୍ରହଣ କରିବେ। ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ମଧ୍ୟ ଆବେଦନ କରିପାରିବେ।ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ।ପଦ ଯାତ୍ରାର ଅଂଶଗ୍ରହଣ କାରୀମାନେ ସହର ପରିକ୍ରମା କରି ସଂସ୍କୃତି ଭବନ ରେ ପହଞ୍ଚିଥିଲେ । ସେଠାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ନିମନ୍ତେ ଆୟୋଜିତ ସାଧାରଣ ସଭାରେ ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥି ସଭା ପରିଚଳନା କରିଥିଲେ । ଭୋଟରମାନେ ନିକଟସ୍ଥ ବୁଥରେ ଭୋଟର ତାଲିକାରେ  ନାମ ଯୋଗ ଓ ସଂଶୋଧନ କରିବାକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ  ଜେନା ସମସ୍ତଙ୍କୁ ଅନୁରୋଧ ରଖିବା ସହ ସଚେତନତାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ପଦ ଯାତ୍ରା, ପଥ ଉତ୍ସବ ଓ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ,ତହସିଲଦାର ଶ୍ରୀ ଅରବିନ୍ଦ ବେହେରା,ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ରଶ୍ମି ରଞ୍ଜନ ମଲ୍ଲିକ, ଶାଶ୍ଵତୀ ଷଡ଼ୱାଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ବିଭିନ୍ନ ସ୍ବେଛାସେବୀ ସଂଗଠନ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ପାଲାଗାୟକ ଜଗବନ୍ଧୁ ଓଝା ଓ ସାଥିମାନେ ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା ପରିବେଷଣ କରିଥିଲେ। ଏହି ଅବସରରେ ସଂସ୍କୃତି ଭବନ ପରିସରରେ ଏକ ଦସ୍ତଖତ ଅଭିଯାନ ଏବଂ ଏକ ସେଲ୍ଫି ପଏଣ୍ଟ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *