କେନ୍ଦ୍ରାପଡ଼ା,୦୪/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ସାପକାମୁଡାରେ ଗୁରୁତର ହୋଇପଡିଥିବା ମଳୟରଞ୍ଜନଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କÿୁଶିଆପାଳ ପଂଚାୟତର ବାଲିପାଟଣା ଗ୍ରାମର ମିଟୁନ ଦାସଙ୍କ ପୁଅ ମଳୟରଞ୍ଜନ ଦାସ(୧୫)ଙ୍କୁ କିଛିଦିନ ତଳେ ଏକ ବୋଡା ସାପ କାମୁଡି ଦେଇଥିଲା ।
ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିିତ ହୋଇଥିଲେ । କିନ୍ତୁ ଏବେ ସାପକାମୁଡିଥିବା ଗୋଡର ଘା ନସୁଖିବାରୁ ସେ ଚାଲିପାରୁନାହାନ୍ତି । ତାଙ୍କର ବାପା ଜଣେ ରୋଷେୟା ଭାବେ କାମ କରନ୍ତି । ଆର୍ଥିକ ଅନାଟନ ଯୋଗୁଁ ମିଟୁନ ତାଙ୍କ ପୁଅର ଚିକିତ୍ସା କରିବା କଷ୍ଟକର ହୋଇପଡିଛି ।
ତେଣୁ ସେ ଏସମ୍ପର୍କରେ ଅର୍ବାନ ବ୍ୟାଙ୍କର ସଭାପତିଙ୍କୁ ଜଣାଇଥିଲେ । ଏସମ୍ପର୍କରେ ଜାଣିବା ପରେ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ସଭାପତି ଗୁରୁପ୍ରସାଦ ମହାନ୍ତି ମଳୟରଞ୍ଜନଙ୍କ ଚିକିତ୍ସା ନିମନ୍ତେ ୫ହଜାର ଟଙ୍କାର (ଚେକ୍) ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହାୟତା ପ୍ରଦାନ ସମୟରେ ନିର୍ଦେଶକ ସୁକାନ୍ତ ଦ୍ୱିବେଦୀ ଓ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
