ଗାଈ ନ କିଣି ସରକାରୀ ପାଣ୍ଠି ଚଳୁ — ୮ ମହିଳା ଏସଏଚଜି ସଦସ୍ୟାଙ୍କୁ ଗିରଫକଲା ଭିଜିଲାନ୍ସ

ଏସଜେଏସୱାଇ ରେ ଗାଈ କିଣିଲେନି, ଗ୍ରାମାଂଚଳ ଗରିବଙ୍କୁ ଠକିଲେ
କୋର୍ଟରେ ଭିଏଏସ୍ ଓ ଡିଲର ହାଜର
ଭିଜିଲାନ୍ସ ପାଇଥିଲା ଠୋସ୍ ପ୍ରମାଣ
ଜଗତସିଂହପୁର/କଟକ, ୦୪/୦୯/୨୦୨୫(ଓଡ଼ିଶା ସମାଚାର)- ଦୁଧିଆଳି ଗାଈ କିଣିବା ନାଁରେ ସରକାରୀ ଯୋଜନାରେ ନେଇଥିବା ଆର୍ଥôକ ସହାୟତାକୁ ହଡ଼ କରିବା ମହଙ୍ଗା ପଡ଼ିଛି । ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ୮ଜଣ ମହିଳା ସଦସ୍ୟା ପ୍ରାୟ ଦେଢ଼ବର୍ଷ ଧରି ଲୁଚକାଳି ଖେଳ ଖେଳିବା ପରେ ସେମାନଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସରକାରୀ ଯୋଜନାରେ ପାଣ୍ଠି ଯୋଗାଣରେ ସେମାନଙ୍କୁ ସହଯୋଗ କରିବା ମଧ୍ୟ ସ୍ଥାନୀୟ ଭେଟେନାରୀ ଡାକ୍ତର ଓ ଜଣେ ଡିଲରଙ୍କୁ ମହଙ୍ଗା ପଡ଼ିଛି । ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା (ଏସଜେଏସୱାଇ) ଅଧୀନରେ ଦୁଧିଆଳି ଗାଈ କିଣିବା ପାଇଁ ସରକାରୀ ପାଣ୍ଠି ରେ ହେରଫେର ଓ ଠକେଇ କରିଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ବୁଧବାର ଜଗତସିଂହପୁର ଜିଲାର ନାଉଗାଁ ଥାନା ଅନ୍ତର୍ଗତ କୁରୁକି ଗାଁର ୮ଜଣ ମହିଳା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେମାନେ ହେଲେ ୧-ମଣି ଦାସ, ୨- ପ୍ରଭାତୀ ଦାସ, ୩- ପ୍ରମିଳା ଦାସ, ୪-ଲିଲି ଦାସ, ୫-ଛବିଲତା ଦାସ, ୬- ହେମା ଦାସ, ୭- ଶାନ୍ତିଲତା ପରିଡ଼ା ଓ ୮- ମମତା ପରିଡ଼ା ।

ସେମାନଙ୍କୁ ଗିରଫ କରାଯାଇ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା ଅଧୀନରେ ଏହି ଅଭିଯୁକ୍ତ ମହିଳାମାନେ ଦୁଧିଆଳି ଗାଈ କିଣିବା ପାଇଁ ସରକାରୀ ପାଣ୍ଠିର ହେରଫେର ଓ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ଗ୍ରାମାଂଚଳର ଗରିବ ଲୋକଙ୍କୁ ସ୍ୱ-ନିଯୁକ୍ତି ମାଧ୍ୟମରେ ସ୍ଥାୟୀ ରୋଜଗାର ଯୋଗାଇବା ପାଇଁ ଉଦ୍ଧିଷ୍ଟ ଥିଲା ଏବଂ ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) ମାଧ୍ୟମରେ ହିତାଧିକାରୀଙ୍କ ସଂଗଠନକୁ ତାଲିମ, ଋଣ, ପ୍ରଯୁକ୍ତିବିଦ୍ୟା, ଭିତିଭୂମି ଓ ବଜାର ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିଲା । ତେବେ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀର ଏହି ୮ଜଣ ସଦସ୍ୟା ତଥା ହିତାଧିକାରୀ ଗାଈ ନକିଣି ସରକାରୀ ପାଣ୍ଠିିକୁ ଆତ୍ମସାତ୍ କରିଥିବା ଜଣାପଡ଼ିଛି ।

ଏହି ଅର୍ଥ ହେରଫେର ଓ ଠକେଇ ସତ୍ୱ୍ୱେ ସମସ୍ତ ଅଭିଯୁକ୍ତ ଗିରଫଦାରୀ ଏଡ଼ାଇବା ପାଇଁ ପ୍ରାୟ ଦେଢ଼ ବର୍ଷ ଧରି ଫେରାର ଥିଲେ । ମାତ୍ର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ବୁଧବାର ଗିରଫ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ, ଭିଜିଲାନ୍ସ ସେମାନଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଅଧିନିୟମ, ୧୯୮୮ର ଧାରା ୧୩(୨) ଦୁର୍ନୀତି ନିବାରଣ ଆଇନ-୧୯୮୮ ଓ ଆଇପିସିର ଧାରା ୪୨୦ (ଠକେଇ), ୪୬୭ (ମୂଲ୍ୟବାନ ସିକ୍ୟୁରିଟି ବା ୱିଲ୍ ସମ୍ବନ୍ଧୀୟ ଜାଲିଆତି), ୪୬୮ (ଠକେଇ ଉଦେଶ୍ୟରେ ଜାଲିଆତି), ୪୭୧ (ଜାଲ୍ ଦସ୍ତାବିଜକୁ ପ୍ରକୃତ ବୋଲି ବ୍ୟବହାର କରିବା) ଏବଂ ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି ।

ଏହି ମାମଲାରେ ସମ୍ପୃକ୍ତ ୮ ମହିଳା ଅଭିଯୁକ୍ତଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତ ନାଉଁଗାର ତତ୍କାଳୀନ ଭିଏଏସ୍ (ଭେଟେରିନାରୀ ଆସିଷ୍ଟାଂଟ ସର୍ଜନ) କୁଞ୍ଜବିହାରୀ ସ୍ୱାଇଁ ଓ ସରକାରଙ୍କ ଅନୁମୋଦିତ ଡିଲର ରଣଜିତ କୁମାର ବେହେରା ମଧ୍ୟ ସରକାରୀ ପାଣ୍ଠିର ଅପବ୍ୟବହାରରେ ସମ୍ପୃକ୍ତ ଥିବାର ପ୍ରମାଣ ଭିଜିଲାନ୍ସ ପାଇଥିଲା । ଏହି ଦୁଇ ଅଭିଯୁକ୍ତ ମଧ୍ୟ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ।

Leave a Reply

Your email address will not be published. Required fields are marked *