ସମ୍ଭାବ୍ୟ ଲଘୁଚାପ ବର୍ଷା  ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ

                                                       ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର, ୦୮/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗର ରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଆଗାମୀ ୨୪ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ । ଏହା ପୁରୀ ଏବଂ ଦିଘା ମଧ୍ୟରେ ଆସନ୍ତା କାଲି ୯ ତାରିଖ ରାତି ସୁଦ୍ଧା ଅତିକ୍ରମ କରିପାରେ । ଏହି ପରିପ୍ରେକ୍ଷୀରେ ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

         ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାକୁ ପ୍ରସ୍ତୁତି ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ  ଜିଲ୍ଲାକୁ ପ୍ରସ୍ତୁତି ପାଇଁ ସଜାଗ କରାଯାଇଛି । ଏ ସଂପର୍କରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି ।

        ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ତଳିଆ ଅଂଚଳରେ ବର୍ଷା ଜମି ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବା, ଆବଶ୍ୟକସ୍ଥଳେ ଅତ୍ୟଧିକ ବର୍ଷା ହେଲେ ତଳିଆ ଅଂଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ରସ୍ତରରେ ଥିବା ଯନ୍ତ୍ରୀମାନଙ୍କୁ ନଦୀ ବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ମହାନଗର ନିଗମ ଓ ପୌରାଂଚଳ କର୍ତ୍ତୃପକ୍ଷମାନଙ୍କୁ ଡ୍ରେନେଜ ସମସ୍ୟା ଉପୁଜିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ସେବା ବିଭାଗ ଏବଂ  ଓଡ୍ରାଫ୍ ମୁତୟନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *