ଭୁବନେଶ୍ୱର,୦୪/୦୯/୨୦୨୫ (ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି। ବୈତରଣୀର ଜଳସ୍ତର ସତର୍କ ସଙ୍କେତ ଟପିଛି । ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି। ମହାନଦୀରେ ଜଳସ୍ତର ଫୁଲୁଛି। ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ରେର୍ଡକ କରାଯାଇଛି। ଆଭରେଜ୍ ୪୦ ମିମି ବର୍ଷା ହୋଇଥିବା ଆକଳନ କରାଯାଇଛି । ବର୍ତ୍ତମାନ ହୀରାକୁଦରେ ୧୬ଟି ଗେଟ୍ ବନ୍ୟା ଜଳ ନିଷ୍କାସନ ଜାରି ରହିଛି ।ବର୍ତ୍ତମାନ ଜଳଭଣ୍ଡାର ମଧ୍ୟରେ ୨.୧୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧.୩୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ଆଗକୁ ହୀରାକୁଦରେ ଜଳସ୍ତର ବଢିପାରେ । ଏବେ ସ୍ଥିତି ଉପରେ ନଜର ରଖାଯାଇଛି। ପରବର୍ତ୍ତୀ ସମୟରେ ଆଉ ଗେଟ୍ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ପୂର୍ବରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଆଜି ଅପରାହ୍ଣରେ ପୁଣି ୨ଟି ଗେଟ୍ ଖୋଲି ଦିଆଯାଇଛି। ବର୍ତ୍ତମାନ ସମୟରେ ମୋଟ୍ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ। ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲାଯାଇ ଥିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି। ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ନଦୀ ଶଯ୍ୟାଠାରୁ ଦୂରେଇ ରହିବା ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
