୪୫ ମିନିଟ୍ ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶେଷ, ନିରାଶରେ ଫେରିଲେ ଲୋକେ

କଟକ ସଦର,୦୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆଜି ସୋମବାର ଦିନ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଥିଲା । ହେଲେ ମାତ୍ର ୪୫ ମିନିଟ୍ ରେ ଜିଲ୍ଲାପାଳ ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଶିବିର ଛାଡି ପଳାଇବାରୁ ଅନେକ ଲୋକ ଅଭିଯୋଗ କରିବାକୁ ଆସି ନିରାଶରେ ଫେରିଥିବା ଅଭିଯୋଗ ହେଉଛି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଗ୍ରାମାଞ୍ଚଳ ଏସପି ଭିନିତ୍ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶିଵ ଟପ୍ପୋ, କଟକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ନାୟକ, ସଦର ଵିଡିଓ ପ୍ରତୀକ ସାହୁ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି, କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ପ୍ରମୁଖ ଙ୍କ ସହିତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ହେଲେ ମଲ୍ଲିପୁର ଠାରେ ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ୍ଵ ହେବ ବସବାସ କରୁଥିବା ଭୁମିହୀନ ୧୫ ଟି ଆଦିବାସୀ ପରିବାର ଆଜକୁ ୧୦ ବର୍ଷ ହେଲା ସରକାରୀ ଜମି ଖଣ୍ଡିଏ ପାଇଁ ସବୁସମୟରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ପାଇପାରୁ ନଥିବା ଜଣାପଡ଼ିଛି।

ଏଥିପାଇଁ ଏହି ଜନଶୁଣାଣୀ କେବଳ ପ୍ରହସନ ରେ ପରିଣତ ହେଉଥିବା ଅଭିଯୋଗ କରି ନିକଟରେ ସେମାନେ ମୂଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣୀ ଶିବିର ର ଦ୍ୱାରସ୍ଥ ହେବେ ବୋଲି କରୁଣା ସିଂ,ଗୁରୁଵା ସିଂ,ସୁକୁରା ସିଂ ପ୍ରମୁଖ କହିଛନ୍ତି। ତେବେ ଶିବିର ରେ ମାତ୍ର  ୪୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାପଡିଛି। ଶିବିର ପରିଚାଳନାରେ ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *