ଉଠାଦୋକାନୀମାନଙ୍କ ପାଇଁ ଅନ୍ନଦାତା ସାଜିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨୮/୦୮/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ରାସ୍ତାପାଶ୍ୱର୍ ବିକ୍ରେତା ଆତ୍ମନିର୍ଭରନିଧି (ପି.ଏମ୍.ଏସ୍.ଭିଏ ନିଧି) ଯୋଜନାରେ ଭାରତରେ ପାଖାପାଖି ଦେଢ଼ କୋଟିରୁ ଉଦ୍ଧ୍ୱର୍ ଉଠାଦୋକାନୀ ଓ ସେମାନଙ୍କର ପରିବାର ଉପକୃତ ହେବାପାଇଁ ଅନୁମୋଦନ କରିଛନ୍ତି । ଏହାଫଳରେ ୨୦୩୦ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଉଠାଦୋକାନୀମାନେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଲୋନ୍ ନେଇ ଉପକୃତ ହୋଇପାରିବେ । ଏଥିରେ ମୋଟ ୭.୩୩୨ କୋଟି ଟଙ୍କା ବ୍ୟୟ କରାଯିବ । ଏତଦ୍ ବ୍ୟତୀତ କ୍ରେଡ଼ିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ ।
ଆଗରୁ ୧୦ହଜାର, ୨୦ହଜାର ଟଙ୍କା ଦିଆଯାଉଥିବାବେଳେ ଏବେ ତାହା ୧୫, ୨୫, ୫୦ ହଜାର ଟଙ୍କା କିସ୍ତି ଅନୁଯାୟୀ ଟଙ୍କା ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଅଛି । ଖାଲି ଏତିକି ନୁହେଁ ଡ଼ିଜିଟାଲ କ୍ୟାସ୍ ବ୍ୟାଗ୍ ମାଧ୍ୟମରେ ୧୬୦୦ଟଙ୍କା ଉପଲବ୍ଧ ଅଛି । ୨୦୨୫ ଜୁଲାଇ ୩୦ସୁଧା ୬୮ଲକ୍ଷରୁ ଅଧିକ ବିକ୍ରେତା ୧୩.୭୯୭କୋଟି ଟଙ୍କା ମୂଲ୍ୟର ୯୬ଲକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଇସାରିଛି । ୨୦୩୦ସୁଧା କୋଟି କୋଟି ଉଠାଦୋକାନୀ ଏହାର ସୁବିଧା ନେବାପାଇଁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ସବୁ ଉଠାଦୋକାନୀମାନଙ୍କୁ ଅନୁରୋଧ କରିବା ସହ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦୀଙ୍କୁ ଓଡ଼ିଶାରେ ଥିବା ୨ଲକ୍ଷରୁ ଅଧିକ ଉଠାଦୋକାନୀ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମହାସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ଉପସଭାପତି ସୂର୍ଯ୍ୟମଣୀ ସାହୁ, ନିରଞ୍ଜନ ପାଣ୍ଡେ, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ବିକାଶ ଚନ୍ଦ୍ର ପାତ୍ର, ଜଗବନ୍ଧୁ ବେହେରା, ସୁଶାନ୍ତ କୁମାର ରାଉତ, ଶରତ ସାହୁ ପ୍ରମୁଖ ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ନ୍ୟାସିନାଲ ହକର୍ସ ଫେଡ଼େରେସନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶକ୍ତିମାନ ଘୋଷଙ୍କ ସହିତ ସାରା ଭାରତରୁ ୩୦ଜଣ ପ୍ରତିନିଧି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ସାକ୍ଷାତ୍ କରି ଏବାବଦରେ ଅବଗତ କରାଇଥିଲେ ।
