କଲ୍ୟାଣପୁରରେ ବଡ ଗଣେଶ ମହୋତ୍ସବ , ଝଲସୁଛି ସାରା ଗାଁ

ମାହାଙ୍ଗା,୨୮/୦୮/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ବର୍ଷ ଅଗ୍ରପୂଜ୍ୟ ଥାନପତି ଶ୍ରୀ ଶ୍ରୀ ବଡ଼ ଗଣେଶଙ୍କ ବାର୍ଷିକ ଉତ୍ସବ ବେଶ ଆନନ୍ଦ ଉତ୍ସାହର ସହିତ ପାଳିତ ହେଉଛି ।

ବାଙ୍ଗୀୟ କାରିଗର ମାନେ ଏକ ମାସ ପୂର୍ବରୁ କଲ୍ୟାଣପୁର ଗ୍ରାମରେ ପହଂଚି ଏହି ମୂର୍ତ୍ତିର ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ । ୨୫ ଫୁଟ ଉଚ୍ଚତା ବିଶିଷ୍ଟ କଲ୍ୟାଣପୁର ବଡ଼ ଗଣେଶଙ୍କ ବିଗ୍ରହ ମାହାଙ୍ଗା ଓ ଏହାର ଆଖ ପାଖ ଅଂଚଳରେ ଦେଖିବାକୁ ମିଳିନଥାଏ । ବାଙ୍ଗୀୟ କାରିଗର ମାନଙ୍କୁ ପ୍ରତିବର୍ଷ ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ ପକ୍ଷରୁ ମୂର୍ତ୍ତି ଗଢିବା ପାଇଁ ନିମନ୍ତ୍ରଣ କରାଯାଏ । ଚଳିତ ବର୍ଷ ବଡ ଗଣେଶଙ୍କ ବିଗ୍ରହ ବେଶ ଆକର୍ଷଣିୟ ହୋଇପାରିଛି । ଦୂର ଦୂରାନ୍ତରୁ ଶହଶହ ଶ୍ରଦ୍ଧାଳୁ ଗଣେଶ ଚତୁର୍ଦଶୀ ଠାରୁ ଆରମ୍ଭ ହୋଇଥିବା ଗଣେଶ ମହୋତ୍ସବ ଦେଖିବା ପାଇଁ କଲ୍ୟାଣପୁରକୁ ଛୁଟି ଆସନ୍ତି ।


୫ଦିନ ବ୍ୟାପୀ ଅନୁଷ୍ଠିତ ଏହି ଗଣେଶ ଉତ୍ସବ ଅବସରରେ କଲ୍ୟାଣପୁର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ପ୍ରତି ବର୍ଷ ଭଜନ, କୀର୍ତ୍ତନ, ଏବଂ ଆଧ୍ୟାତ୍ମିକ ସଂଗୀତର ମୂର୍ଚ୍ଚନା ଭିତରେ ଶ୍ରଦ୍ଧାଳୁ ମାନେ ବାନ୍ଧିହୋଇ ରହିବା ଦେଖିବାକୁ ମିଳେ । ପ୍ରଭୁ ବଡ଼ ଗଣେଶଙ୍କ ପୂଜାର୍ଚ୍ଚନା ଓ ହରି ହାଟରେ ପ୍ରସାଦ ସେବନ ପରମ୍ପରା ଆଜିବି ବଜାୟ ରହିଛି । ଏହି କାର୍ୟ୍ୟକ୍ରମରେ ଗ୍ରାମର ମୁରବୀ, ଯୁବକ, ବୁଦ୍ଧିଜୀବୀ ଏବଂ ଗଣେଶ ମହୋତ୍ସବ କମିଟିର ସଦସ୍ୟ ମାନେ ସାମିଲ ହୁଅନ୍ତି ।

କଲ୍ୟାଣପୁର ଗ୍ରାମରୁ ବାହାରି କୋଠପଦା, ବନଗୁରିଆ ପର୍ୟ୍ୟନ୍ତ ଏକ ବିରାଟ ପଟୁଆରରେ ପ୍ରଭୁଙ୍କ ବିଗ୍ରହକୁ ଏକ ସୁସଜ୍ଜିତ ବିମାନରେ ରଖି ନଗର ଭ୍ରମଣରେ ନିଆଯାଇଥାଏ । ଶେଷରେ ପ୍ରଭୁ ଗଜାନନଙ୍କୁ ବିଦାୟ ନେବାକୁ ପଡେ । ନିକଟସ୍ଥ ବିରୂପା ନଦୀରେ ବଡ ଗଣେଶ ଙ୍କୁ ବିସର୍ଜନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *