ଭୁବନେଶ୍ୱର,୨୮/୦୮/୨୦୨୫ (ଓଡ଼ିଶା ସମାଚାର)- ବାଲେଶ୍ୱର ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରା ନ ଗଲେ ଆସନ୍ତା ସେପ୍େଟମ୍ବର ୧ ତାରିଖରେ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୨୬ତାରିଖ ରେ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଶାଖାର ସଭାପତି ଦିଲ୍ଲୀପ କୁମାର ଗିରି ଚେତାବନୀ ଦେଇଛନ୍ତି ।
ଅଜିତ କୁମାର ମହାନ୍ତି, କୃଷି ବୈଜ୍ଞାନିକ ଡଃ ବିଜୟ କୁମାର ମିଶ୍ର, ଅବନୀ ଚାନ୍ଦ, କମଳ ଚକ୍ରବର୍ତୀ, ଭାସ୍କର ମିଶ୍ର ପ୍ରମୁଖ ସମସ୍ତ ଭିତିଭୂମି ଥାଇ ମଧ୍ୟ ବାଲେଶ୍ୱର ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନ କରିବା ଦୁଃଖ ଓ କ୍ଷୋଭର ବିଷୟ ବୋଲି କହିଥିଲେ । ବାଲେଶ୍ୱର ଜିଲା ୧୮୨୮ ମସିହାରେ ଜିଲାର ମାନ୍ୟତା ପାଇଥିଲା ବେଳେ ସମଗ୍ର ରାଜ୍ୟରେ କୃଷି କ୍ଷେତ୍ରରେ ୨ୟ ଶ୍ରେଷ୍ଠ ଜିଲା ଭାବେ କୃଷି କ୍ଷେତ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି । ଜିଲାରେ ପ୍ରାୟ ୨୫ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୮୨ପ୍ରତିଶତ କୃଷି ଓ କୃଷି ଶ୍ରମ ଉପରେ ନିର୍ଭରଶୀଳ ।
ବାର୍ଷିକ ପ୍ରାୟ ୧୬୦୦ ମି. ମି. ବର୍ଷା ହେଉଥିଲା ବେଳେ ମୋଟ ୨.୧୯ ଲକ୍ଷ ହେକ୍ଟର ଚାଷଜମି ରହିଛି । ଏଥିରୁ୨.୯୩ ଲକ୍ଷ ପରିବାର କୃଷକ । ଓଡ଼ିଶାରେ ମାତ୍ର ୩ଟି କୃଷି ମହାବିଦ୍ୟାଳୟ ରହିଛି । ଭାରତୀୟ କୃଷି ଗବେଷଣା ପରିଷଦ କିମ୍ବା ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାଲେଶ୍ୱର ଜିଲାରେ କୌଣସି କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇନାହିଁ ।
ନିକଟରେ ରାଜ୍ୟ ସରକାର ସମ୍ବଲପୁର, ମୟୂରଭଞ୍ଜ ଓ ବ୍ରହ୍ମପୁର ଠାରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିବା ବେଳେ ବାଲେଶ୍ୱର ସେଥିରୁ ବାଦ୍ ପଡିବା ଦୁଃଖର ବିଷୟ ବୋଲି କହିଥିଲେ । ସରକାର ତୁରନ୍ତ ବାଲେଶ୍ୱର ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା ନ କଲେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଥିଲେ । ସମରେଶ ଦିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ ।
