ଭୁବନେଶ୍ୱର,୨୮/୦୮/୨୦୨୫ (ଓଡ଼ିଶା ସମାଚାର)- ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଆସନ୍ତା ୨୯ ଓ ୩୦ ରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ୨୯ ଅଗଷ୍ଟରେ ଏହି ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ,
ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ । ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଉଦଘାଟନୀ ସମାରୋହରେ ଯୋଗଦେବେ ।
ଉଦଘାଟନୀ ଅଧିବେଶନରେ, ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେବେ ଏବଂ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିବେ । ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ ୨୦୨୫) ସଂସଦ ଏବଂ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି – ‘‘ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିକା” ।
