ସାହାଣମେଲା ଦର୍ଶନକୁ ଗୁରୁତ୍ବ: ମହୋତ୍ସବ ମାହୋଲରେ ଝଲସିବ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳ
ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନ ଓ ଏହାର ପାରିପାର୍ଶ୍ଵିକ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ପ୍ରଦାନ କରିବେ – ବିଧାୟକ
ପୁରୀ, ୦୪/୧୧/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଜିଲ୍ଲାର ଦ୍ବିତୀୟ ବୃହତମ ଗଣପର୍ଵ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦଦର୍ଶନ ଏବଂ ବଡଏକାଦାଶୀରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ଆସନ୍ତା ମାସ ୧୦ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ୨ ୟ ସମ୍ମନ୍ବୟ ବୈଠକ ପଞ୍ଚସଖା ସ୍ମୃତି ଭବନରେ ଅନୁଷ୍ଠିତ ହୋଇଥିଲା। ୩ ଦିନବ୍ୟାପୀ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ମହୋତ୍ସବର ମାହୋଲ ସୃଷ୍ଟି କରିବ। ଆକର୍ଷଣୀୟ ସାଜସଜ୍ଜା ଓ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ସହିତ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ବୋଲି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ବୈଠକ ରେ ସୂଚନା ଦେଇଥିଲେ। ଏଥିସହିତ ସାକ୍ଷୀଗୋପାଳ ମନ୍ଦିର, ବଜାର ଅଞ୍ଚଳ ଓ ପଞ୍ଚସଖା ପଡିଆ ଆଲୋକ ମାତ୍ରାରେ ଝଲସିବ। ଏହି ପୂଣ୍ୟ ତିଥିରେ ସାକ୍ଷୀଗୋପାଳ କୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଆମର ଅତିଥି। ଏଣୁ ସେମାନଙ୍କୁ ଉତ୍ତମ ଆତିଥ୍ୟ ପ୍ରତି ସଭିଏଁ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷକୁ ଥରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିର ସମ୍ମୁଖ ଵାରିକେଟ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ସାଧାରଣ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ରହୁଥିବା କାରଣରୁ ସାହାଣମେଲା ମେଲା ଦର୍ଶନ କୁ ଅଧିକ ଗୁରୁତ୍ଵ ଦେବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଦେବୋତ୍ତର ବିଭାଗ ପ୍ରସ୍ତୁତ କରୁଥିବା ୩ ହଜାର ପ୍ରିଭିଲେଜ ପାସ୍ ରେ ସେବାୟତ, ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଭିଆଇପି ଓ ସହଯୋଗୀ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ସୁବିଧା ରହିବା ନେଇ ଆଲୋଚନା କରାଯାଇଛି। ପୂର୍ବରାତ୍ରିରୁ ମନ୍ଦିର ଦେବନୀତି ଆରମ୍ଭ କରାଯାଇ ସକାଳ ୬ ଠାରୁ ପାଦ ଦର୍ଶନ ବିଳମ୍ବିତ ଦର୍ଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିବ ନେଇ ପ୍ରାରମ୍ଭରେ ଦେବନୀତି ନିର୍ଘଣ୍ଟ ସମ୍ପର୍କରେ ସେବାୟତ ସଂଘ କର୍ମକର୍ତ୍ତା ସୂଚନା ପ୍ରଦାନ କରିଥିଲେ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ସ୍କେଚମ୍ୟାପ ପୋଲିସ ବିଭାଗ ପ୍ରସ୍ତୁତ କରିବାସହ, ସିସି କ୍ୟାମେରା, ଟ୍ରାଫିକ , ଭିଡ଼ ନିୟନ୍ତ୍ରଣ, ଅପାରୀଧିକ ଉଦ୍ୟମ କୁ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବ ବୋଲି ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ମାଧି ପ୍ୟୈରହିତ କରିଥିଲେ। ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମ୍ମନ୍ବୟ ରଖି କାମ କରିବାକୁ ଉପଜିଲ୍ଲାପାଳ କହିଥିଲେ। ସେଵାୟତ ଶ୍ମଶାନ ନିର୍ମାଣ ଦାବି ପୁରଣ ଦିଗରେ ଉଚିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ଏବଂ ଖୁବଶୀଘ୍ର ଦେବୋତ୍ତର ବିଭାଗ ଜମି ଯୋଗାଇ ଦେବ ବୋଲି ସହକାରୀ ଦେବୋତ୍ତର କମିଶନର ଶିଶିର କୁମାର ସାହୁ ସୂଚନା ଦେଇଥିଲେ। ମେଳାପଡିଆରେ କେବଳ ସରକାରୀ ପ୍ରଦର୍ଶନୀ ମଣ୍ଡପ ଖୋଲାଯିଵାକୁ ସ୍ଥିରୀକୃତ ହୋଇଥିଲା। ସେହିଭଳି ଯାତ୍ରା ପୂର୍ବରୁ ଛାୟାପ୍ରଦ ବାରିକେଡ, ଅଗ୍ନି ନିରାପତ୍ତା, ରାସ୍ତା ମରାମତି,ପନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ,ବିଦ୍ୟୁତ ସେବା, ସଫେଇ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୮ ତାରିଖରେ ଚୁଡାନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଖବର ଦାତା ସମ୍ମିଳନୀ ଆୟୋଜନ ସହିତ ଯାତ୍ରା ପରେପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏସଡିପିଓ ବିରଞ୍ଚି ନାରାୟଣ ପତି। ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନୀଲ ପଣ୍ଡା, ଜିଲ୍ଲା ସୂଚନା ଲୋକସମ୍ପର୍କ ଉପଜିଲ୍ଲାପାଳ ସନ୍ତୋଷ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ରାୟ , ଆଇଆଇସି ଉମେଶ କୁମାର ସାହୁ, ଅଗ୍ନିଶ୍ରମ ଅଧିକାରୀ ମନୋଜ ପାତ୍ର , ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ସୁବଶିଷ ନାୟକ, , ସେବାୟତ ସଂଘ ସଭାପତି ଅଶୋକ ଖୁଣ୍ଟିଆ, ଉପସଭାପତି ସଞ୍ଜୟ ନନ୍ଦ, ସମ୍ପାଦକ ପ୍ରତାପ ମହାପାତ୍ର ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟ, ଜୟପୁର ସମିତି ସଭ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ, ଇଞ୍ଜିନିୟର, ଶିକ୍ଷକ, ବ୍ୟାଙ୍କ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ସେବାୟତ ସଂଘ ସଭାପତି ଅଶୋକ ଖୁଣ୍ଟିଆ, ଉପସଭାପତି ସଞ୍ଜୟ ନନ୍ଦ, ସମ୍ପାଦକ ପ୍ରତାପ ମହାପାତ୍ର ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟ, ଜୟପୁର ସମିତି ସଭ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ, ଇଞ୍ଜିନିୟର, ଶିକ୍ଷକ, ବ୍ୟାଙ୍କ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଵିଶ୍ବବାସି ତ୍ରିପାଠୀ ଯୋଗ ଦେଇଥିଲେ।