କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ

ଟ୍ରାକ୍  ରେ ଭୁଶୁଡ଼ି ପଡ଼ିଲା ଯାତ୍ରୀ ବିଶ୍ରାମ ସେଡ୍, ମୃତାହତ ଘଟିନାହିଁ
କଟକ ୨୭/୦୮/୨୦୨୫(ଓଡ଼ିଶା ସମାଚାର)- କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ପ୍ଲାଟଫର୍ମ ନବୀକରଣ କାର୍ଯ୍ୟ ଚାଲୁଥିଲାବେଳେ ଏକ ପୁରୁଣା କୋଠାର କିଛି ଅଂଶ ଭୁଷୁଡ଼ି ପଡ଼ିଥିଲା । ପ୍ଲାଟଫର୍ମ ନଂ-୧ ଯାତ୍ରୀ ବିଶ୍ରାମ ସେଡ଼ ଉପରେ ଏହି କୋଠା ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଡ଼ଟି ଭାଙ୍ଗି ଟ୍ରାକ ଉପରେ ପଡ଼ିଥିଲା । ଏହା ଯୋଗୁ ପ୍ଲାଟଫର୍ମ ୧ ଓ ୨ରେ କିଛି ସମୟ ପାଇଁ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ହେଲେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ କିମ୍ବା ଶ୍ରମିକ ଆହତ ହୋଇନଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କଟକ ରେଳ ଷ୍ଟେସନ ୧ନଂ ପ୍ଲାଟ ଫର୍ମରେ ବୁଧବାର ଅପରାହ୍ନ ୩.୪୫ ମିନିଟରେ ଏକ ଅଘଟଣ ଘଟିଛି । କଟକ ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏକ ପୁରୁଣା କୋଠାର କାନ୍ଥ ଭୁଷୁଡ଼ି ପଡ଼ିଥିଲା । ଏହି କାନ୍ଥଟି ଯାତ୍ରୀ ବିଶ୍ରାମ ସେଡ଼ ଉପରେ ପଡ଼ିଥିଲା । ଫଳରେ ୧୦୦ ମିଟର ଲମ୍ବ ସେଡ଼ ଭୁଷୁଡ଼ି ଟ୍ରାକ ଉପରେ ପଡ଼ିଥିଲା । ଏହାଯୋଗୁ ୧ ଓ ୨ ନମ୍ବର ପ୍ଲାଟଫର୍ମରେ ରେଳ ଚଳାଚଳ ଅସ୍ଥାୟୀ ଭାବେ ବାଧାପ୍ରାପ୍ତ ହୋଇଥିଲା ।

ପ୍ରକାଶ ଥାଉକି, ୧୦ ମିନିଟ ପୂର୍ବରୁ ଏହି ପ୍ଲାଟ ଫର୍ମରେ ବନ୍ଦେ ଭାରତ ଏକ୍ସପ୍ରେସ ଯାଇଥିଲା । ସୌଭାଗ୍ୟବଶତଃ କୌଣସି ଆହତ କିମ୍ବା ମୃତାହତ ରିର୍ପୋଟ ହୋଇନାହିଁ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ରେଲୱେ କର୍ତୃପକ୍ଷ ତୁରନ୍ତ ଘଟଣା ସ୍ଥଳରେ ପହଂଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟ ବ୍ୟବଧାନ ପରେ ଟ୍ରାକ୍ ସ୍ୱାଭାବିକ ହୋଇ ରେଳ ଚଳାଚଳ କରିଥିବା ଜଣାଯାଇଛି । ତେବେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ତଦନ୍ତ ହେବ ବୋଲି ଖୋର୍ଦ୍ଧା ଡିଭିଜନ ଏଡିଆରଏମ ପ୍ରଦୀପ୍ତ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *