ଗରଦପୁର, ୨୭/୦୮/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ ହେଲେ ଦୁଇ ନାବାଳିକା । ସୂଚନାଯୋଗ୍ୟ ଡେରାବିଶ ବ୍ଲକ୍ ବାଲିଆ ପଂଚାୟତ ଦରବୋଲ ଗ୍ରାମର ରତ୍ନାକର ସାମଲଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଲୋକ ଭାଙ୍ଗି ପଡିଥିଲେ ।
ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କର ସ୍ତ୍ରୀ ଏବଂ ୫ ଝିଅ ରହିଛନ୍ତି । ତାଙ୍କ ପରିବାର ଗରିବ ଶ୍ରେଣୀଭୁକ୍ତ ହୋଇଥିବାରୁ ନାବାଳିକାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ପ୍ରଶାସନ ନିର୍ଦେଶରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସହଯୋଗରେ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱାଗତିକା ପାତ୍ରଙ୍କ ନିର୍ଦେଶରେ ସଭ୍ୟ ଲଳିତ ମୋହନ ସାହୁ, ଜିଲା ଶିଶୁ ସୁରକ୍ଷା ଶାଖାର ଅଣ-ଆନୁଷ୍ଠାନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମାଜସେବୀ ଶ୍ରୀକାନ୍ତ ନାୟକ ଦରବୋଲ ଗ୍ରାମରେ ସ୍ୱର୍ଗତ୍ ସାମଲଙ୍କ ଘରେ ପହଂଚିଥିଲେ ।
ସେଠାରେ ପରିବାର, ସ୍ଥାନୀୟ ସରପଂଚ ଏବଂ ଭଦ୍ରବ୍ୟକ୍ତିଙ୍କ ସହିତ ଆଲୋଚନା ପରେ ତାଙ୍କର ଦୁଇ ନାବାଳିକା ଝିଅ ତୃପ୍ତିମୟୀ ସାମଲ(୧୫) ଏବଂ ସ୍ୱପ୍ନାମୟୀ ସାମଲ(୧୨)ଙ୍କୁ ପଲ୍ଲିଶ୍ରୀ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି । ଆହୁରି ମଧ୍ୟ ଅଧିକାରୀମାନେ କଲେଜରେ ପଢୁଥିବା ଅନ୍ୟ ଦୁଇ ଝିଅଙ୍କ ପାଠପଢା, ଖାଦ୍ୟ ଏବଂ ପୁଷ୍ଟିକର ଆହାର ନିମନ୍ତେ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି ।
