୧୫ନମ୍ବର ଶାଖା କେନାଲ ସଫେଇ ଓ ଗାର୍ଡୱାଲ ନିର୍ମାଣରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା, ୨୨/୭/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା- ବସପୁର ପୂର୍ତ ବିଭାଗ ରାସ୍ତାର ମାହାରାକୂଳ ନିକଟରୁ ବାମପାଶ୍ୱର୍ରେ ମାର୍ଶାଘାଇ  ଯାଇଥିବା ୧୫ ନମ୍ବର ଶାଖା କେନାଲର ସଫେଇ ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତି କହିଛନ୍ତି । ଚାଷୀଙ୍କ ଜମିକୁ ଜଳ ଯୋଗାଣ ନିମନ୍ତେ ଏହି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଉଛି । କିନ୍ତୁ ଏହି ଶାଖା କେନାଲର ବାମ ପାଶ୍ୱର୍ ବନ୍ଧକୁ ମେସିନ ସାହାଯ୍ୟରେ ସଫା କରାଯାଉଥିବା ବେଳେ କେନାଲ ବନ୍ଧ ଉପରେ ଗଛ ଲଟା ପ୍ରଭୃତି ମାଡି ରହିଥିବା ଦେଖାଯାଇଛି । ବର୍ଷାରେ ସେହି ଗଛ ଓ ଲଟା ପୁନର୍ବାର କେନାଲ ବନ୍ଧ ଉପରେ ମାଡିଯିବା ସହ କେନାଲ ଭିତରକୁ ମଧ୍ୟ ମାଡି ଯାଇ ଜଳ ଯୋଗାଣରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି । ଦ୍ୱିତୀୟରେ ଜବକାର୍ଡଧାରୀଙ୍କୁ ଶ୍ରମ ଯୋଗାଇ ଦେବା ବଦଳରେ ମେସିନରେ କାର୍ଯ୍ୟ କରାଯିବା ଫଳରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ଶାଖା କେନାଲ ଭିତରେ ବନ୍ଧରୁ ମାଟି ଖସି କେନାଲ ପୋତି ହୋଇପଡିବା ଦୃଷ୍ଟିରୁ କେନାଲର ଭିତରପଟ ବାମପାଶ୍ୱର୍ରେ ଗାର୍ଡୱାଲ ମଧ୍ୟ ନିର୍ମାଣ କରାଯାଉଛି । କିନ୍ତୁ ଅନେକ ସ୍ଥାନରେ ସେହି ଗାର୍ଡୱାଲ ଭୁଷୁଡି ପଡିଥିବା ବେଳେ ଠିକାଦାରଙ୍କ ଏଭଳି ନିମ୍ନମାନର କାର୍ଯ୍ୟକୁ ଲୋକଙ୍କ ଦୃଷ୍ଟିରୁ ଲୁଚାଇବା ପାଇଁ ଭୁହୁଡି ପଡିଥିବା ସେହି ଅଂଶକୁ ମେସିନ ସାହାଯ୍ୟରେ ଉଠାଇ ନେଇ ଅନ୍ୟତ୍ର ପକାଇ ଦିଆଯାଇଛି । ଚାଷକ୍ଷେତକୁ ଜଳ ଯୋଗାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଉଥିବା ବେଳେ ସେହି ଅନୁଦାନ ଅର୍ଥରେ ବିଭାଗୀୟ ଅଧିକାରୀଙ୍କ ଅଲିଖିତ ନିର୍ଦେଶରେ ଠିକାଦାର ଏଭଳି କାର୍ଯ୍ୟ କରୁଥିବା ସ୍ଥାନୀୟ ଅଧିବାସୀ ରାଜକିଶୋର ମହାନ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ଠିକାଦାର ପୁଣି ଭୁଷୁଡି ପଡିଥିବା ଗାର୍ଡୱାଲର ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ଲୋକ ମିଳୁନଥିବାରୁ ମେସିନରେ ସଫେଇ କାର୍ଯ୍ୟ କରାଯାଉଛି  ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *