କେନ୍ଦ୍ରାପଡା ଡାକ ମଣ୍ଡଳ ପକ୍ଷରୁ ଧାନମଣ୍ଡଳରେ ଡାକ ମେଳା 

ଗରଦପୁର, ୨୭/୦୮/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଭଗବାନପୁର ଗ୍ରାମ ପଂଚାୟତ ଧାନମଣ୍ଡଳ ଗ୍ରାମର ଶ୍ରୀଶ୍ରୀସିଦ୍ଧେଶ୍ୱର ପୀଠ ପରିସରରେ କେନ୍ଦ୍ରାପଡା ଡାକ ମଣ୍ଡଳ ପକ୍ଷରୁ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଦକ୍ଷିଣ ଉପ-ଡାକ ମଣ୍ଡଳ ଦ୍ୱାରା ସାନଅଢଙ୍ଗା ଶାଖା ଡାକଘର ଅଧିନରେ ଏହି ଡାକମେଳା ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥୀ ଯୋଗଦେଇ ପୋଷ୍ଟ ଅଫିସ୍ ସଂଚୟ ଖାତା, ସୁକନ୍ୟା, ସମୃଦ୍ଧି ଖାତା, ଆବର୍ତୀ ଖାତା, ମିଆଦି ଜମା ଖାତା, ଡାକ ଜୀବନ ବୀମା, ଆଧାର ଏବଂ ପାସ ପୋର୍ଟ୍ ସେବା ସହିତ ଡାକ ବିଭାଗର ବିଭିନ୍ନ ସେବା ସଂପର୍କରେ ଆଲୋକପାତ କରିଥିଲେ । ପୋଷ୍ଟାଲ ପେମେଂଟ ବ୍ୟାଙ୍କର ମ୍ୟାନେଜର ଦୁର୍ଗାମାଧବ ପରିଡା, କେନ୍ଦ୍ରାପଡା ଦକ୍ଷିଣ ଉପ-ଡାକ ମଣ୍ଡଳର ଡାକ ନିରୀକ୍ଷକ ସଚିନ୍ କୁମାର ଯୋଗଦେଇ ଭାରତୀୟ ଡାକ ଦ୍ୱାରା ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାର ସୁଯୋଗ ନେବାକୁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ପରାମର୍ଶ ଦେଇଥିଲେ ।

ସାନଅଢଙ୍ଗା ପଂଚାୟତର ସରପଂଚ ଅଭୟ କୁମାର ମଲ୍ଲ, ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର, ବଟକୃଷ୍ଣ ସ୍ୱାଇଁ ଯୋଗଦେଇ ଲୋକମାନଙ୍କର ସ୍ଥାନୀୟ ଡାକ ଘରମାନଙ୍କରେ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସାନଅଢଙ୍ଗା ଶାଖା ଡାକଘରେ ଖୋଲାଯାଇଥିବା ବିଭିନ୍ନ ସଂଚୟ ଖାତା ଗ୍ରାହକମାନଙ୍କୁ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଭରସିଅର ଦେବାଶିଷ ବିଶ୍ୱାଳ, ଅମିତ କୁମାର ମହାନ୍ତି, ଶାଖା ଡାକପାଳ ବିଜୟଲକ୍ଷ୍ମୀ ବଳ, ଅସ୍ମିତା ମହାନ୍ତି, ସୁବ୍ରତ ସାହୁ, ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲାବେଳେ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଡାକ ବିଭାଗର ବିଭିନ୍ନ ସେବା ସଂପର୍କରେ ସୂଚନା ପାଇଥିଲେ ।

Leave a Reply

Your email address will not be published. Required fields are marked *