ତିର୍ତୋଲ,୧୬/୦୩/୨୦୨୪(ଓଡ଼ିଶା ସମାଚାର)- ପବିତ୍ର ମୀନସଂକ୍ରାନ୍ତି, ଗୁରୁବାର ଠାରୁ ପ୍ରସିଦ୍ଧ ଝଙ୍କଡ଼ ଶାରଳାପୀଠରେ ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ଅପରାହ୍ନରେ , କନକପୁର ଦେଉଳି ଗ୍ରାମ ସ୍ଥିତ ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମା ବୃନ୍ଦାବତୀଙ୍କ ମଣ୍ଡପ ଉପରେ ଦଶଘଟ ପୂଜା ସରିବା ପରେ, ୧୦ ଜଣ ସେବାୟତ ଏହି ଘଟଦଣ୍ଡ ଙ୍କୁ ମୁଣ୍ଡରେ ମୁଣ୍ଡାଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶାରଳା ମନ୍ଦିରରେ ପହଂଚିବା ପରେ ମାଆଙ୍କ ରତ୍ନ ସିଂହାସନ ସମ୍ମୁଖରେ ବଡ଼ପଣ୍ଡା ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପ୍ରଶାସନ ତରଫରୁ ଏହି ଦଶଘଟକୁ ମୂଖ୍ୟପୂଜକଙ୍କ ଦ୍ୱାରା ଶାଢ଼ୀ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା । ତେବେ ଏହି ଦଶଘଟ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ନାଟ୍ୟମଣ୍ଡପ ସମ୍ମୁଖରେ ଘଟନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଘଟଦଣ୍ଡଙ୍କୁ ନେଇ ମାଆଙ୍କ ସେବାୟତ ମାନେ ପୁରପଲ୍ଲୀରେ ପ୍ରଚଣ୍ଡ ରୌଦ୍ରତାପରେ ଘଟନୃତ୍ୟ ପ୍ରଦର୍ଶନ କରି ଦେବୀଶକ୍ତିର ଅଲୌକିକ ମହାମହିମା ଲୀଳାର ପ୍ରଚାର ପ୍ରସାର ନିମନ୍ତେ ଯାତ୍ରା କରିଥାଆନ୍ତି । ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ନିଷ୍ଠା କାଷ୍ଠା ରେ ଏହି ଘଟନୃତ୍ୟ କରିବା ପରେ ଆସନ୍ତା ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଦିନ ସେମାନଙ୍କୁ ଅଗ୍ନୀପରୀକ୍ଷା ଦେବାକୁ ପଡିଥାଏ । ମାଆଙ୍କ ପ୍ରାଚୀନ ପୀଠ, ବଡ଼ଶାରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ଝାମୁଯାତ୍ରା ପଡ଼ିଆରେ ଏହି ମାତୃସେବକମାନେ ପ୍ରଜ୍ୱଳିତ ଅଗ୍ନୀକୁଣ୍ଡ ମଧ୍ୟରେ, ଖାଲିପାଦରେ ନାଚି ନାଚି ଥାଆନ୍ତି । ମାତୃଶକ୍ତିର ଉପାସନା, ଆରାଧନା ଓ ମାଆକୁ ସମ୍ମାନ ଦେବାର ବାର୍ତା ଏହି ଘଟନୃତ୍ୟ ମାଧ୍ୟମରେ ପ୍ରଦାନ କରାଯିବାର ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି ଏବଂ ଏହା ମା’ଶାରଳାଙ୍କ ମହିମା ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ବାଲି ବିବେଚନା ମଧ୍ୟ କରାଯାଇଥାଏ ।