ଯାଜପୁର, ୨୭/୦୮/୨୦୨୫ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସି.ଏମ କିଷାନ ସହାୟତାର ୨ୟ କିସ୍ତି କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୁତ ଜନଜାତି ସମୂହ ଓ ସହରାଞ୍ଚଳରେ କୃଷକଙ୍କୁ ଡି.ବି.ଟି ମାଧ୍ୟମରେ ୧୦୪୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରେରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟ ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ କହିଲେ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଯୋଜନା ମଧ୍ୟରୁ କୃଷି ଭାଇ ଓ ଭଉଣୀମାନଙ୍କ ପାଇଁ ସି. ଏମ କିଷାନ୍ ଏକ ଯୋଜନା ଯାହା ମାଧ୍ୟମରେ ଚାଷୀ ଭାଇ ମାନଙ୍କୁ ଚାଷ କାର୍ଯ୍ୟ ଆଗେଇ ନେବା ନିମନ୍ତେ ବର୍ଷକୁ ଦୁଇ ଥର ଯଥା: ଖରିଫ ଫସଲ ଓ ରବି ଫସଲ ନିମନ୍ତେ ବାର୍ଷିକ ଦୁଇଥର ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଉଛି। ଚାଷୀ ଭାଇମାନେ ଏହି ସହାୟତା ରାଶିକୁ ପ୍ରକୃତ ଉଦ୍ଦେଶ୍ୟରେ ବିନିଯୋଗ କରି ଉପକୃତ ହୋଇପାରିଲେ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପର ସଫଳ ରୂପାୟନ ହୋଇପାରିବ ବୋଲି ଶ୍ରୀ ନାୟକ କହିଥିଲେ। ପ୍ରାରମ୍ଭରେ ଯୋଗଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରି କହିଲେ ଗଣେଶ ଚତୁର୍ଥୀ ଓ ନୂଆଖାଇ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସି. ଏମ କିଷାନ୍ ର ସହାୟତା ରାଶି ପ୍ରଦାନ କରିଛନ୍ତି ।
ସମସ୍ତ ଚାଷୀଭାଇ ଓ ଭଉଣୀ ଏବଂ ଭୂମିହୀନ ମାନଙ୍କୁ ଡି.ବି.ଟି ମାଧ୍ୟମରେ ଆଜି ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଏହି ସହାୟତା ରାଶିକୁ ନେଇ ଚାଷୀଭାଇ ମାନେ ଚାଷ କାର୍ଯ୍ୟକୁ ଆଗେଇ ନେବେ। ଏହି ସହାୟତା ରାଶି ବର୍ଷକୁ ଦୁଇ ଥର ପ୍ରଦାନ କରାଯାଉଛି। ଏହି ବର୍ଷର ଏହା ୨ୟ କିସ୍ତି ପ୍ରଦାନ କରାଯିବ। ଯାଜପୁର ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୪୫ ହଜାର ୨୪୨ ଜଣଙ୍କୁ ଏହି ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ପାଇବେ।ଏହାକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବାକୁ ସମସ୍ତ ଚାଷୀ ଭାଇଙ୍କୁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ଵାଳ କହିଲେ ଚାଷୀ ହସିଲେ ଦେଶ ହସିବ ।
ସି. ଏମ କିଷାନ୍ ରେ ରବି ଫସଲ ଓ ଖରିଫ ଫସଲ ନିମନ୍ତେ ବାର୍ଷିକ ଦୁଇଟି କିସ୍ତିରେ ୨୦୦୦ ଲେଖାଏଁ ସହାୟତା ରାଶି ପ୍ରଦାନ ଯାଉଛି। ଏହି ସହାୟତା ରାଶି ଚାଷୀ ମାନଙ୍କ ସମ୍ମାନ ନିମନ୍ତେ ପ୍ରଦାନ କରାଯାଉଛି। ଯେଉଁଠାରେ ଚାଷୀମାନଙ୍କୁ ସମ୍ମାନ ଦିଆଯାଏନାହିଁ ସେ ଦେଶ କେବେ ବି ଆଗକୁ ଯାଇପାରିବ ନାହିଁ। ଚାଷୀ ଆଖିରେ ଲୁହ ଆସିଲେ ଦେଶ ଆଖିରେ ଲୁହ ଆସିବ। ଚାଷୀଭାଇ ମାନଙ୍କର ପ୍ରଗତି ନହେଲେ ଦେଶର ତଥା ଯାଜପୁର ଜିଲ୍ଲାର ପ୍ରଗତି ଅସମ୍ଭବ। ସରକାର ସର୍ବଦା ଯାଜପୁର ଜିଲ୍ଲାର ଚାଷୀଭାଇ ମାନଙ୍କ ସହ ଅଛନ୍ତି ଏହାକୁ ମାନସିକ ସ୍ତରରେ ରଖି ଚାଷ କାର୍ଯ୍ୟକୁ ଆଗେଇ ନେବାକୁ ସେ ଜିଲ୍ଲାର ସମସ୍ତ ଚାଷୀଭାଇ ଓ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କେ.ଭି.କେ, ବଡ଼ଚଣା ବୈଜ୍ଞାନିକ ଶ୍ରୀ ଲଳିତ କୁମାର ମହାନ୍ତି କହିଲେ ଆଜି ଗଣେଶ ଚତୁର୍ଥୀ ଆଜିର ଶୁଭ ଦିନରେ ରବି ଋତୁର ପ୍ରାରମ୍ଭରେ ସି.ଏମ କିଷାନ୍ ର ୨ୟ କିସ୍ତି ପ୍ରଦାନ କରାଯାଉଛି।
ଋତୁ ଅନୁସାରେ ଏବେ ଜଳବାୟୁରେ ବହୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି ସେଥିପାଇଁ ଜଳବାୟୁ ଅନୁକୂଳ କୃଷି ଉପରେ ପ୍ରାଧାନ୍ୟ ଦିଆଯାଉଛି। ଆଧୁନିକ କୃଷି, ଜଳସେଚନ ସୁବିଧା, ଡ୍ରୋନ ଟେକ୍ନୋଲୋଜି, ହାଇ ଭାଲ୍ୟୁ କ୍ରପ ଏହି ସବୁ ଉପରେ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ପ୍ରକଳ୍ପ ଶ୍ରୀ ରମାକାନ୍ତ ପରିଡା ଯୋଗଦେଇ କହିଲେ ଜଳବାୟୁରେ ଅନିୟମିତତା ହିସାବରେ ଚାଷକାର୍ଯ୍ୟ କିପରି ଭଲ ଭାବରେ କରାଯିବ ସେ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କିପରି ସ୍ବଳ୍ପ ଖର୍ଚ୍ଚରେ ଚାଷୀଭାଇମାନେ ଚାଷକରି ଅଧିକ ଲାଭବାନ ହୋଇପାରିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି। ମାଟିକୁ ଉର୍ବର ରଖିବା ନିମନ୍ତେ ରାସାୟନିକ ସାର କମ୍ ବ୍ୟବହାର ଓ ଜୈବିକ ସାରର ଅଧିକ ବ୍ୟବହାର କରିବାକୁ ସମସ୍ତ ଚାଷୀଭାଇଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ଶ୍ରୀ ରାଧେଶ୍ୟାମ ବେହେରା,ସବ ଡିଭିଜନାଲ ପ୍ରାଣୀ ସମ୍ପଦ ଅଧିକାରୀ ଡା ସୁଶାନ୍ତ କୁମାର ବେହେରା,ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ରଂଜିତ କୁମାର ସାହୁ, କୃଷି ଜିଲ୍ଲା ଅଧିକାରୀ ଧର୍ମଶାଳା ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି, କୃଷି ବିଭାଗ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକ ରୁ ଆସିଥିବା କୃଷକ ଭାଇ ଓ ଭଉଣୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
