କଟକ,୨୮/୦୨/୨୦୨୫(ଓଡ଼ିଶା ସମାଚାର)- “୫ଜି ସକ୍ଷମ ଜଳବାୟୁ – ସ୍ମାର୍ଟ କୃଷି ସ୍ଥାୟିତ୍ୱ ଓ ସ୍ଥିରତା ପାଇଁ କୃଷି ପରିବେଶକୁ ପରିବର୍ତନ କରିବା” ଉପରେ କେନ୍ଦ୍ରିତ ଏକ ୩ଦିନିଆ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି । କଟକର ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନରେ ପୂର୍ବାଂଚଳ ଆଂଚଳିକ କୃଷି ମେଳା ୨୦୨୪-୨୫
କୃଷି ପ୍ରଯୁକ୍ତି ବିଦ୍ୟା ଏବଂ ସ୍ଥାୟୀ କୃଷି ପଦ୍ଧତିରେ ଉନ୍ନତି ଅନୁସନ୍ଧାନ କରିବାକୁ ଆଗ୍ରହୀ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ଚାଷୀ, ଗବେଷକ, ନୀତି ନିର୍ଦ୍ଧାରକ, କୃଷି ଉଦ୍ୟୋଗୀ ଏବଂ ଶିଳ୍ପ ବିଶେଷଜ୍ଞମାନେ ବହୁ ସଂଖ୍ୟାରେ ଏକତି୍ରତ ହୋଇଥିଲେ ।
ପ୍ରଥମ ଦିବସରେ ଧାନ-ଅଧାରିତ କୃଷି ପ୍ରଣାଳୀରେ ଜଳବାୟୁ-ସ୍ମାର୍ଟ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାରିକ ଆଲୋଚନା, ଲାଇଭ ପ୍ରଦର୍ଶନ ଓ ପାରସ୍ପରିକ କି୍ରୟାଶୀଳ ଅଧିବେଶନ ସହିତ ଆରମ୍ଭ ହୋଇଥିଲା । ବିଶେଷଜ୍ଞମାନେ ଅଂଶଗ୍ରହଣକାରୀମାନଙ୍କୁ ଅଭିନବ ୫ଜି ସକ୍ଷମ ଡିଜିଟାଲ ଉପକରଣ, ସଠିକ କୃଷି କୌଶଳ, ଜଳବାୟୁ ପ୍ରତିରୋଧି ଫସଲ କିସମ ଏବଂ ସ୍ମାର୍ଟ ଜଳସେଚନ ବ୍ୟବସ୍ଥା ସହିତ ପରିଚିତ କରାଇଥିଲେ । ଦିବସର ଅନ୍ୟତମ ଆକର୍ଷଣ ଥିଲା କିଷାନ ଗୋଷ୍ଠୀ ଯେଉଁଠାରେ ଚାଷୀମାନେ ବୈଜ୍ଞାନିକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।
ମେଳାରେ ଏକ ପୁରସ୍କାରପ୍ରାପ୍ତ ସ୍ପଟ କୁଇଜ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଉପସ୍ଥିତ ଲୋକଙ୍କ ମଧ୍ୟରେ ସକି୍ରୟ ଅଂଶଗ୍ରହଣ ଓ ଜ୍ଞାନ ଆଦାନ ପ୍ରଦାନକୁ ଉତ୍ସାହିତ କରିଥିଲା । ଅପରାହ୍ନ ଅଧିବେଶନରେ “ଜଳ ଉତ୍ପାଦନ ଏବଂ ଲାଭଦାୟକତା ପାଇଁ ପୁନର୍ଜନ୍ମ କୃଷିରେ ନବସୃଜନ” ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜିତ କରାଯାଇଥିଲା । ଭୁବନେଶ୍ୱର ଜାତୀୟ ଜଳ ପରିଚାଳନା ଅନୁଷ୍ଠାନର ନିର୍ଦ୍ଧେଶକ ଡ ଅର୍ଜାମଦର ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଡ ରବିନ୍ଦ୍ର ସାହୁ “ଖାଦ୍ୟ ପ୍ରକି୍ରୟାକରଣ କ୍ଷେତ୍ରରେ ସମ୍ଭାବନା ଏବଂ ପଦକ୍ଷେପ” ଉପରେ ଏକ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଂଚଳିକ କୃଷି ମେଳା ଶନିବାର ମାର୍ଚ୍ଚ ୧ ତାରିଖ ରେ ଶେଷ ହେବ ।