– ଓ-ଟେକ୍ସ-୨୦୨୫ ରେ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱସ୍ତି
ଆଗକୁ ମିଳିବ ୫ଲକ୍ଷ ନିଯୁକ୍ତି , ସ୍ୱାକ୍ଷରିତ ହେଲା ୩୩ ଏମଓୟୁ , ବଢ଼ିଲା ବୁଣାକାରଙ୍କ ଭତା , ସପ୍ତାହକରେ ଦିନଟିଏ ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ କର୍ମଚାରୀ , କନ୍କ୍ଲେଭ୍ ରେ ୧୬୦ରୁ ଅଧିକ ଉଦ୍ୟୋଗୀ , ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି , ସମୁଦାୟ ଘରୋଇ ନିବେଶର ୪୦ ପ୍ରତିଶତ ଓଡ଼ିଶାକୁ ଆସିଛି
ଭୁବନେଶ୍ୱର,୨୬/୦୭/୨୦୨୫ (ଓଡ଼ିଶା ସମାଚାର)- ଟେକ୍ସଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରି ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନ କନଭେନସନ ସେଂଟରରେ ଅନୁଷ୍ଠିତ ଓଡ଼ିଶା ଟେକ୍ସଟାଇଲ କନକ୍ଲେଭ୍- ୨୦୨୫ ରେ ଏହା ଘୋଷଣା କହିଛନ୍ତି ।
ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍ ୱିୟର ପାର୍କର ଲୋକାର୍ପଣ କରିଥିଲେ ।
ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ-ଟେକ୍ସ-୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନକ୍ଲେଭ୍ । କନକ୍ଲେଭ୍ ରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗ ଦେଇଥିଲେ । ବିଶ୍ୱର ନାମୀଦାମୀ ବ୍ରାଣ୍ଡ ପେଜ ଇଣ୍ଡଷ୍ଟ୍ରିଜ୍, ଫାଷ୍ଟଷ୍ଟେପ ବେବି ୱିୟର, କେପିଆର ମିଲସ, ସ୍ପୋର୍ଟସକିଙ୍ଗ, ଆଦର୍ଶ ନିଟ୍ ୱିୟର ପ୍ରମୁଖ ଏହି କନକ୍ଲେଭ୍ ରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି କନକ୍ଲେଭ୍ ରେ ମୋଟ୍ ୩୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି । ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏହା ସହିତ ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଡ଼ିଶାର ବସ୍ତ୍ର ଶିଳ୍ପ ବହୁତ ପ୍ରାଚୀନ । ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଆମ ପୋଷାକ ଓ ପରିଧାନ ଜଡିତ ହୋଇ ରହିଛି । ପଶ୍ଚିମ ଓଡିଶାର ପାରମ୍ପରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମୁରର ରେଶମ, ଗଜପତି, କେନ୍ଦୁଝରର ଟସର ଏବଂ ମାଣିଆବନ୍ଧ ସୂକ୍ଷ୍ମକଳାର ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସମସ୍ତ ପୋଷାକର ପ୍ରଚାର ପ୍ରସାର ମାଧ୍ୟମରେ ଓଡ଼ିଶାକୁ ଟେକ୍ସଟାଇଲ ହବ୍ କରିବା ପାଇଁ ଆମ ସରକାର ଉଦ୍ୟମ କରୁଛନ୍ତି ।
ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ଦିଗରେ ଆମ ସରକାର ଯୋଜନା କରୁଛନ୍ତି । ସେ ପୁଣି କହିଥିଲେ ଓଡ଼ିଶା ପୁଞ୍ଜିନିବେଶକାରୀ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଚଳିତ ଆର୍ଥôକ ବର୍ଷରେ ଦେଶର ସମୁଦାୟ ଘରୋଇ ନିବେଶର ୪୦ ପ୍ରତିଶତ ଓଡ଼ିଶାକୁ ଆସିଛି । ପୂରା ଭାରତ ଓଡ଼ିଶା ବସ୍ତ୍ର ଦେଖିବ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଅନ୍ୟାନ୍ୟ ଶିଳ୍ପ ସହିତ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ସବୁଠାରୁ ଆକର୍ଷଣୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିଛି । ଗ୍ରାମାଂଚଳ ଓ ଅର୍ଥନୈତିକ ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଶାର ଆର୍ଥôକ ସମୃଦ୍ଧିରେ ଗୁରୁତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି ଯେ “ଓଡିଶା ଟେକ୍ସ ୨୦୨୫ ଓଡ଼ିଶାର ବୟନ ଶିଳ୍ପ ପାଇଁ ଏକ ନୂତନ ଯୁଗର ଶୁଭାରମ୍ଭ କରୁଛି । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, “ଆମର ପ୍ରତିବଦ୍ଧତା ହେଉଛି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସୁଦୃଢ଼ କରିବା ସହିତ ଆଧୁନିକ ବୟନ ନିବେଶକୁ ଦ୍ୱିଗୁଣିତ କରିବା” ।
