ରାଜ୍ୟ ସ୍ତରରେ ଦ୍ୱିତୀୟ ପୁରସ୍କାର ପାଇଲା ଭରତପୁର ପ୍ରାଥମିକ କୃଷି ସମବାୟ ସମିତି

କେନ୍ଦ୍ରାପଡ଼ା, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି । ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ  ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ  ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସର୍ଟ ଟର୍ମ କ୍ରେଡିଟ କୋଅପରେଟିଭ ଷ୍ଟ୍ରକଚର କ୍ଷେତ୍ରରେ ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନୀୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମବାୟ ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା, ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ପ୍ରବାସିନୀ ଷଡଙ୍ଗୀ, ସମବାୟ ସମିତି ସମୁହ ନିବନ୍ଧକ ଡଃ. ଉଦ୍ଧବ ଚନ୍ଦ୍ର ମାଝୀ, ସମବାୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ କୁମାର ଦାଶ ପ୍ରମୁଖ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ସମିତି ପକ୍ଷରୁ ସଭାପତି ବସନ୍ତ କୁମାର ରାଉତ, ସମ୍ପାଦକ ପ୍ରବୋଧ କୁମାର ଲେଙ୍କା ଏବଂ ନିର୍ଦେଶକ ଶାରଦା ପ୍ରସନ୍ନ ରାଉତ ଉପସ୍ଥିତ ରହି ସମବାୟ ମନ୍ତ୍ରୀ ଶ୍ରୀ ନାୟକଙ୍କ ଠାରୁ ଉତରୀୟ, ସିଲଡ ଓ ମାନପତ୍ର ଗ୍ରହଣ କରିଥିଲେ । ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିବାରୁ ସମିତିର ନିର୍ଦେଶକ, ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *