‘ଆମ ଶାସନ’ କେବଳ ଏକ ଯୋଜନା ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭିତ୍ତି – ଯେଉଁଠି ବାସ୍ତବରେ ଜନତା ହେବେ ମୁଖ୍ୟ, ଏବଂ ସରକାର ହେବେ ସେବକ।
ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ
ଅଭିଯୋଗ, ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ।
ଭୁବନେଶ୍ୱର,୨୬/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ଆମ ଶାସନ’ ହେଉଛି ଏକ ପ୍ରମୁଖ ଉଦ୍ୟମ ଯେଉଁଥିରେ ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ମାଧ୍ୟମରେ ଜନ ସାଧାରଣଙ୍କ ଅଭିଯୋଗ, ପ୍ରସ୍ତାବ ଓ ଆବଶ୍ୟକତାକୁ ସିଧାସଳଖ ଶୁଣିବା ଓ ସେ ଦିଗରେ କାମ କରିବା ପାଇଁ ସୁବିଧା ହେବ । ଏହି ପ୍ରୟାସ ଜନତାଙ୍କୁ ନିଜର ଅଧିକାର ପାଇଁ ସଚେତନ କରିବା ସହିତ ସେମାନଙ୍କୁ ଶାସନ ବ୍ୟବସ୍ଥାରେ ସହଭାଗୀ କରିବ। ସାଧାରଣ ଜନତାଙ୍କ ପାଇଁ ସରକାରୀ ଅଧିକାରୀ, ପ୍ରଶାସନିକ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟକଳାପକୁ ସ୍ୱଚ୍ଛ ଭାବରେ ପ୍ରଦର୍ଶିତ କରାଯିବ। ଏହା ଦ୍ବାରା ‘ଆମ ଶାସନ’ ସୁଶାସନର ଏକ ନୂଆ ଉଦାହରଣ ସୃଷ୍ଟି କରିବ।

ଆଜି ‘ଆମ ଶାସନ’ ଆରମ୍ଭ ହେବା ସହିତ ପ୍ରତ୍ୟେକ ନାଗରିକଙ୍କ ହାତପାହାନ୍ତାରେ ସରକାରୀ ସୁବିଧା, ଯୋଜନାର ଲାଭ ଓ ସେବାଗୁଡ଼ିକର ସୂଚନା ସିଧାସଳଖ ଭାବେ ପହଞ୍ଚିବ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସାମାଜିକ ସୁରକ୍ଷା ଓ ବିଭିନ୍ନ କ୍ଷେତ୍ରରେ ସରକାରୀ ଯୋଜନା ଓ ସେଗୁଡ଼ିକର ଲାଭ ବିଷୟରେ ଜାଣିବା ଏବେ ଲୋକଙ୍କ ପାଇଁ ଅଧିକ ସହଜ ହେବ। ନାଗରିକମାନେ ସରକାରୀ ସେବା ସହିତ ଜଡ଼ିତ ସେମାନଙ୍କର ଅଭିଜ୍ଞତା ବାଣ୍ଟିପାରିବେ ଯାହା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏକ ସ୍ୱଚ୍ଛ, ଦାୟିତ୍ଵବାନ ଏବଂ ଉନ୍ନତମାନର ସେବାକୁ ପ୍ରୋତ୍ସାହିତ କରିବ । ‘ଆମ ଶାସନ’ କେବଳ ଏକ ଯୋଜନା ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭିତ୍ତି – ଯେଉଁଠି ବାସ୍ତବରେ ଜନତା ହେବେ ମୁଖ୍ୟ, ଏବଂ ସରକାର ହେବେ ସେବକ।
ରାଜ୍ୟରେ ଆମ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ ।
ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଫେସବୁକ, ଏକ୍ସ, ହ୍ବାଟ୍ସଆପ, ୱେବସାଇଟ ଚାର୍ଟବଟ ଏବଂ ସିଧାସଳଖ ଟୋଲ ଫ୍ରି ନମ୍ବର- ୧୪୪୭୧କୁ ଫୋନ କରି ମତାମତ ଦେଇପାରିବେ ସାଧାରଣ ଜନତା।
ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
