ବରଗଡ଼,୨୫/୦୮/୨୦୨୫(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସଆଇ ଜଗା ବରିହା। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏସଆଇ ଜଗା ବରିହା ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଜଗା ବରିହାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନାନୁଯାୟୀ, ଜଣେ ସ୍କ୍ରାପ୍ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଡିଲର ଜଣଙ୍କ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିବାରୁ ଜଗା ୭ ହଜାର ଟଙ୍କା ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡିଲର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଭିଜିଲାନ୍ସ ଏସଆଇଙ୍କ ଉପରେ ନଜର ରଖିଥିଲା। ଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଜଗାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହା ସହ ବରିହାଙ୍କ ବାସଭବନ , ୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉ ଜାରି ରହିଥିବାରୁ ବର୍ତ୍ତମାନ ମୋଟ୍ ସମ୍ପତ୍ତି ଆକଳନ ହୋଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।
