ଭୁବନେଶ୍ୱର,୦୩/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଭାବେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଅବଦାନ ଅବିସ୍ମରଣୀୟ । ଜଣେ ବରିଷ୍ଠ ସାହିତି୍ୟକ ଭାବରେ ତାଙ୍କ ରଚନାର ବିଶାଳତା ଅନାୟସଲକ୍ଷ୍ୟ । ମୁଖ୍ୟତଃ ଗୀତିକବି ଭାବରେ ବେଶ୍ ଖ୍ୟାତକୀର୍ତି ତାଙ୍କର ରହିଅଛି । ତାଙ୍କ କବିତାର ଇତିହାସ ଥିଲା ଓଡ଼ିଆ କବିତାର ଇତିହାସ । ଓଡ଼ିଆ ସାହିତ୍ୟର ପ୍ରାୟ ସବୁ ବିଭାଗକୁ ଯଥାସମ୍ଭବ ଶ୍ରୀସମୃଦ୍ଧ କରିଅଛନ୍ତି । ସାରା ଜୀବନ ଯାହାଙ୍କର ସାହିତ୍ୟ ସେବାରେ ଅତିବାହିତ ହୋଇଯାଇଅଛି ଏବଂ ଜଣେ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଭୂ ଭାବରେ ପରିଗଣିତ ହୋଇପାରିଅଛନ୍ତି ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସହଯୋଗୀ ଅନୁଷ୍ଠାନ ସମୟର ପ୍ରାଚୀଧାରାଙ୍କ ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲାର ବାଲିପାଟଣାସ୍ଥିତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପଠାରେ ୨ ଜୁଲାଇ ୨୦୨୫ ବୁଧବାର ପୂର୍ବାହ୍ଣ ୧୧.୦୦ ଘଟିକାରେ ଆୟୋଜିତ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ସଭାରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି ଓ ବକ୍ତାଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା ।
ସୁସାହିତି୍ୟକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନନୀୟ ଅତିଥି ଭାବେ ସମୟର ପ୍ରାଚୀଧାରା ପତି୍ରକାର ସମ୍ପାଦକ ଶ୍ରୀଯୁକ୍ତ ଭଗବାନ ସାହୁ ଯୋଗଦାନ କରି କାଳିନ୍ଦୀଚରଣଙ୍କ ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ସୁସାହିତି୍ୟକ ଡକ୍ଟର ଶରତ ଚନ୍ଦ୍ର ରଥ ଯୋଗଦାନ କରି କବି କାଳିନ୍ଦୀଚରଣ କିପରି ବହୁ ସାର୍ଥକ କବିତାର ଅନନ୍ୟ ସ୍ରଷ୍ଟା ଭାବେ ଏ ଜାତିକୁ ଏକ ନୂତନ ପରିଚୟ ଦେଇପାରିଥିଲେ ଏବଂ ତାଙ୍କର ‘ସବୁଜ କବିତା’ ସଙ୍କଳନରେ ଅବସ୍ଥିତ ସାତୋଟି କବିତା ବ୍ୟତୀତ ମନେନାହିଁ, ମହାଦୀପ, କ୍ଷଣିକ ସତ୍ୟ, ଛୁରୀଟିଏ ଲୋଡ଼ା ଓ ଶେଷରଶ୍ମି ଆଦି କବିତା ଗ୍ରନ୍ଥ ଓଡ଼ିଆ କାବ୍ୟ ସାହିତ୍ୟକୁ କିପରି ଏକ ନୂତନ ଦିଗଦର୍ଶନ ଦେଇପାରିଥିଲା ଏ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ଯୋଗଦାନ କରି କବି କାଳିନ୍ଦୀଚରଣ କିପରି ଓଡ଼ିଆ କବିତାର ଭାଷା ଓ ଭାବକୁ ନିୟନ୍ତ୍ରଣ କରିଥିଲେ ଏବଂ ସବୁଜ ଚେତନା – ମାନସିିକ ଯୌବନ ଓ କର୍ମତପôରତା ଚେତନା – ସମାଜ ଓ ସଂସ୍କୃତିର ଜଡତା ଓ ବାର୍ଦ୍ଧକ୍ୟ ବିରୁଦ୍ଧରେ ସେ ଯେଉଁ ବିଦ୍ରୋହ ଉପରେ ତାଙ୍କର ରଚନା ଅତ୍ୟନ୍ତ ମାର୍ମିକ ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାମୁଖ୍ୟ ଭାବେ ସୁସାହିତି୍ୟକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବେହେରା ଯୋଗଦାନ କରି ନିଜର ସଭାପତିତ୍ୱ ଅଭିଭାଷଣରେ ପୂର୍ବରୁ ଆଲୋଚନା କରିଥିବା ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ ସୂଚନା ପ୍ରଦାନ କରିବା ସହ କବି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାଳିନ୍ଦୀଚରଣଙ୍କ ଜୀବନାଦର୍ଶ ଓ ଅନ୍ୟାନ୍ୟ ସାରସ୍ୱତ ଦିଗ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ସହଯୋଗୀ ଅନୁଷ୍ଠାନ ଶ୍ରୀଯୁକ୍ତ ବିପିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତି୍ୟକ/ସାହିତି୍ୟକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଜୟନ୍ତୀ ସଭାଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।
