କଟକ, ୧୧/୧୦/୨୦୨୬(ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ), କଟକ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ (ଆର୍ବିଓ) ପକ୍ଷରୁ ଅକ୍ଟୋବର ୧୧ ତାରିଖରେ କଟକର ଉପର ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ କାର୍ ଲୋନ୍ ଏକ୍ସପୋକୁ ଜନସାଧାରଣଙ୍କଠାରୁ ବ୍ୟାପକ ସମର୍ଥନ ମିଳିଛି।
ଏହି ଏକ୍ସପୋକୁ ଏସ୍ବିଆଇର ଉପମହାପ୍ରବନ୍ଧକ ଶ୍ରୀ ଏସ୍. ବଦଲାମଣି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏସ୍ବିଆଇ କଟକର ଆଞ୍ଚଳିକ ପ୍ରବନ୍ଧକ ଚୌଦୁରୀ ଅଶ୍ମିନ ଅନୁପମ ପ୍ରହରାଜ ଉପସ୍ଥିତ ଥିଲେ।
କଟକ ଓ ଭୁବନେଶ୍ୱରର ପ୍ରାୟ ୨୫ଟି ଅଟୋମୋବାଇଲ୍ ଡିଲର ଏହି ଏକ୍ସପୋରେ ଅଂଶଗ୍ରହଣ କରି ବିଭିନ୍ନ ମଡେଲ୍ର କାର୍ ପ୍ରଦର୍ଶନ କରିଥିଲେ। ଫଳରେ ଗ୍ରାହକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କାର୍ ଦେଖିବା ସହ ତୁଳନା କରି ନିଜ ପସନ୍ଦର ଗାଡ଼ି ବାଛିବାର ସୁଯୋଗ ପାଇଥିଲେ। ଏହା ସହିତ ଏସ୍ବିଆଇର ବିଭିନ୍ନ କାର୍ ଋଣ ଯୋଜନା, ଆକର୍ଷଣୀୟ ଋଣ ସୁବିଧା ଓ ଗାଡ଼ି କିଣିବା ସମୟରେ ମିଳୁଥିବା ବିଭିନ୍ନ ଲାଭ ସମ୍ପର୍କରେ ଗ୍ରାହକମାନେ ଅବଗତ ହୋଇଥିଲେ।
କାର୍ ଋଣ ସୁବିଧାର ପ୍ରଚାର ସହିତ ଏସ୍ବିଆଇ ପକ୍ଷରୁ ସୁରକ୍ଷିତ ଓ ସୁବିଧାଜନକ ବ୍ୟାଙ୍କିଂ ସେବା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ଆଞ୍ଚଳିକ କାର୍ଯ୍ୟାଳୟ ଓ କଟକ ସହରର ବିଭିନ୍ନ ଶାଖାର ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କ ସହ ଆଲୋଚନା କରି ସାଇବର ସୁରକ୍ଷା, ନିରାପଦ ଡିଜିଟାଲ୍ ବ୍ୟାଙ୍କିଂ ଏବଂ ହ୍ୱାଟ୍ସଆପ୍ ବ୍ୟାଙ୍କିଂ ସମେତ ବିଭିନ୍ନ ଡିଜିଟାଲ୍ ସେବାର ଉପକାରିତା ବିଷୟରେ ସୂଚନା ଦେଇଥିଲେ। ଏଥିସହ ସାମାଜିକ ସୁରକ୍ଷା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଅବଗତ କରାଯାଇଥିଲା।
ଏହି ଏକ୍ସପୋରେ କାର୍ କିଣିବାକୁ ଇଚ୍ଛୁକ ଗ୍ରାହକଙ୍କ ସମେତ ସାଧାରଣ ଲୋକଙ୍କ ଉତ୍ସାହଜନକ ଉପସ୍ଥିତି ଦେଖିବାକୁ ମିଳିଥିଲା। ଗୋଟିଏ ମଞ୍ଚରେ ଅଟୋମୋବାଇଲ୍ ଡିଲର ଓ ବ୍ୟାଙ୍କିଂ ସେବାକୁ ଏକାଠି କରିବା ଦ୍ୱାରା ଗ୍ରାହକମାନେ ସହଜରେ ଆବଶ୍ୟକ ସୂଚନା ଓ ସହାୟତା ପାଇପାରିଥିବାରୁ ଏସ୍ବିଆଇର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏହି ସଫଳ ଆୟୋଜନ ଗ୍ରାହକକୈନ୍ଦ୍ରିକ ବ୍ୟାଙ୍କିଂ ସେବା, ଆର୍ଥିକ ସଚେତନତା ଓ ସାମାଜିକ ସମ୍ପୃକ୍ତି ପ୍ରତି ଏସ୍ବିଆଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଗ୍ରାହକଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟତା କରିବା ସହ ଆଧୁନିକ ବ୍ୟାଙ୍କିଂ ସେବାର ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି ପଦକ୍ଷେପକୁ ବ୍ୟାପକ ପ୍ରଶଂସା ମିଳିଛି।
