କେନ୍ଦ୍ରାପଡ଼ା,୨୪/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଂଚାୟତର ଅର୍ଶୋକା ଗ୍ରାମରେ ସାପ କାମୁଡ଼ାରେ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ଶିଶୁର ମା’ ଗୁରୁତର ହୋଇ ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଖବର ନେବାରୁ ଜଣାପଡିଛି ଯେ ଅର୍ଶୋକା ଗ୍ରାମର ଫକୀର ଜେନା ତାଙ୍କ ପତ୍ନୀ ଗୀତାଞ୍ଜଳୀ ଓ ୨ ବର୍ଷର ଶିଶୁ କନ୍ୟା ରାଜଶ୍ରୀ ରାତି ପ୍ରାୟ ୧୦ଟାରେ ଖାଇ ସାରି ଶୋଇଥିଲେ । ଗୋଟିଏ କୋଠରୀରେ ଫକୀର ଶୋଇଥିଲେ । ଅନ୍ୟ କୋଠରୀରେ ଗୀତାଞ୍ଜଳି ଓ ରାଜଶ୍ରୀ ଶୋଇଥିଲେ ।
ରାତି ପ୍ରାୟ ୩ଟା ସମୟରେ ଗୀତାଞ୍ଜଳି ଚିତ୍କାର କରି ତାଙ୍କୁ କୌଣସି ଯନ୍ତୁ କାମୁଡି ଦେଲା ବୋଲି କହିଥିଲେ । ଚିତ୍କାର ଶୁଣି ଫକୀର ପତ୍ନୀ ଓ ଝିଅ ଶୋଇଥିବା କୋଠରୀକୁ ଯାଇଥିଲେ । ସେଠାରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ । ସାପ କାମୁଡାରେ ଶିଶୁର ମୃତୁ୍ୟ ଘଟିଛି ବୋଲି ଡାକ୍ତର କହିଥିଲେ । ଗୀତାଞ୍ଜଳୀଙ୍କୁ ସାପ କାମୁଡା ଇେଞ୍ଜକସନ ଦିଆଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଫକୀର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଶିଶୁ କନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି ।
