ବାଲିଗୁଡ଼ା / ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)- ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି । ଗତ କାଲି ରାତ୍ରି ପ୍ରାୟ ୯ଟା ୩୦ମିନିଟ ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ୫୫ବର୍ଷ ବୟସ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଶ୍ରୀ ମାଝୀ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ପର୍ୟ୍ୟନ୍ତ ବାଲିଗୁଡ଼ାର ଭାରତୀୟ ଜନତା ପାର୍ଟିର ବିଧାୟକ ଥିଲେ। ସେ ଜଣେ ଯୁବ ନେତା ଭାବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବେଶ ପରିଚିତ ଥିଲେ । ନିର୍ବାଚନ ମଣ୍ଡଳୀରେ କିଭଳି ଭାବେ ବିକାଶ ହେବ ତାହା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସେ କୁଇ ଭାଷାରେ ୩ଟି ପୁସ୍ତକ ମଧ୍ୟ ଲେଖିଥିଲେ । ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହିତ ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାମାଜିକ ଗଣ ମାଧ୍ୟମ ଏକ୍ସ ରେ ଲେଖିଛନ୍ତି :
ଆମ ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।
