ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମମଚାରୀ ସଂଘ

କର୍ମଚାରୀଙ୍କ ଦାବି ସମ୍ପର୍କରେ ସରକାର ଅବଗତ
ଖୁବ୍ ଶୀଘ୍ର ସ୍ଥାୟୀକରଣ ନିଷ୍ପତି
ଠିକାରୁ ମୁକ୍ତି ପାଇବେ ୯୦୦୦ ଏନଏଚଏମ କର୍ମଚାରୀ
ଭୁବନେଶ୍ୱର,୨୩/୦୮/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ସ୍ୱଳ୍ପ ଦରମାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ବୋଲି ଅବଗତ କରାଇଥିଲେ । ରାଜ୍ୟ ସରକାର ଏନଏଚଏମ୍ କର୍ମଚାରୀଙ୍କ ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଓ ଏହା ଉପରେ ବିଚାର ଚାଲିଛି । ଖୁବ୍ ଶୀଘ୍ର ସମସ୍ତ କର୍ମଚାରୀଙ୍କ ସ୍ଥାୟୀ ସମାଧାନ କରିବା ପାଇଁ ଆମ ସରକାର ନୀତିଗତ ନିଷ୍ପତି ନେଇ ବ୍ୟବସ୍ଥା କରିବାକୁ ଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଥିବା ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ସମାଧାନ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପୂର୍ବରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବିଷୟରେ ଅନେକବାର ଅବଗତ କରାଯାଇଛି । ସେ ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଓ ଖୁବ୍ ଶୀଘ୍ର ସରକାର ଏକ ନୀତିଗତ ନିଷ୍ପତି ନେଇ ସମସ୍ତଙ୍କୁ ସ୍ଥାୟୀ କରିବା ବିଷୟରେ ଚିନ୍ତା କରୁଛନ୍ତି । ଦରମା ବୃଦ୍ଧି, ୨୫ ପ୍ରତିଶତ ପ୍ରୋତ୍ସାହନ ରାଶି ଉଚ୍ଛେଦ, ରାଜ୍ୟ ପ୍ରୋତ୍ସାହନ ରାଶି ବୃଦ୍ଧି, ସମସ୍ତଙ୍କୁ ବୀମାଭୁକ୍ତ କରିବା ଆଦି ଦାବି ସମ୍ପର୍କରେ ମାନନୀୟ ସଭାପତି ମନମୋହନ ସାମଲ କହିଲେ ଯେ, ରେଗୁଲାର କଲେ ଏସବୁ ସମସ୍ୟାର ସମାଧାନ ହୋଇଯିବ ।

ଓଡ଼ିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡାଙ୍କ ସମେତ ସାଧାରଣ ସମ୍ପାଦକ ଗୋପବନ୍ଧୁ କର, କୋଷାଧ୍ୟକ୍ଷ ଆଶୁତୋଷ ମିଶ୍ର, ସହ ସମ୍ପାଦକ ପ୍ରଦୀପ୍ତ ମଲ୍ଲ ଓ ଅନ୍ୟ ସଦସ୍ୟମାନେ ପ୍ରତିନିଧି ମଣ୍ଡଳୀରେ ସାମିଲ୍ ଥିଲେ । ପ୍ରତିଶ୍ରୁତି ମିଳିବା ପରେ ସାରା ଓଡ଼ିଶାର ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ମଧ୍ୟରେ ଏକ ଖୁସିର ଆଶା ସଂଚାର ହୋଇଛି ।

Leave a Reply

Your email address will not be published. Required fields are marked *