୩ ବର୍ଷରେ ପୂରଣ ହେବ ୪୫ ହଜାର ପଦବୀ
ନିୟମିତ ହେବେ ସ୍କିମାଟିକ୍ ଶିକ୍ଷକ
ମିଶିବ ଯୁକ୍ତ ଦୁଇ ପରିଷଦ ଓ ମାଧ୍ୟମିକ ଶିକ୍ଷା ବୋର୍ଡ
ଭୁବନେଶ୍ୱର,୨୨/୦୮/୨୦୨୫ (ଓଡ଼ିଶା ସମାଚାର)-ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି । ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ଥିବା ଦୃଷ୍ଟିରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।
ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତିି ନେଇଛନ୍ତି । ନିଷ୍ପତି ଅନୁଯାୟୀ, ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟରେ ବର୍ତମାନ ୪୫, ୨୯୨ ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ ଶିକ୍ଷକ ପଦବୀ ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯, ୩୬୬ ପଦବୀ ସୃଷ୍ଟି କରାଯିବ । ଏହାସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଶିକ୍ଷକ ପଦବୀ
ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ।
ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ । ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତିି ନିଆଯାଇଥିଲା । ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯାଉଛି । ଏଣିକି ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଥିଲେ । ଏନସିଇଆରଟି ଢାଂଚାରେ ପ୍ରସ୍ତୁତ ହେବ ପୁସ୍ତକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓସେପାର ନିର୍ଦ୍ଧେଶିକା ଅନନ୍ୟା ଦାସ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
