ଘଟଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଅଂଶଗ୍ରହଣ, ୯୧ ଜଣ କୃତୀ ପ୍ରତିଯୋଗୀ ପୁରସ୍କୃତ

ଘଟଗାଁ,୧୬/୧୦/୨୦୨୬ (ଓଡ଼ିଶା ସମାଚାର): ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ଘଟଗାଁ ବ୍ଲକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଘଟଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଏବିଡିଓ ଚିତ୍ତରଞ୍ଜନ ନାୟକ, ଓଷ୍ଟା ସଂଘ ପକ୍ଷରୁ ସନ୍ତୋଷ ଶତପଥୀ ଓ ମନୋଜ ପଣ୍ଡା ଏବଂ ଘଟଗାଁ ବ୍ଲକ ଆସ୍ପାୟାର ସଂଯୋଜକ ଗଦାଧର ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହୋତ୍ସବରେ କୁଇଜ୍‌, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ତର୍କ, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, ଶିଳ୍ପକଳା, ସୁନ୍ଦର ହସ୍ତାକ୍ଷର ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜର ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସମୃଦ୍ଧ ଓଡ଼ିଶା ଗଠନର ବାର୍ତ୍ତା ନେଇ ସିଆରସିସି ବିଜୟ କୁମାର ବେହେରା, କମଳାକାନ୍ତ ପଣ୍ଡା, ବିଶ୍ୱରଞ୍ଜନ ନାୟକ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ସେଠୀଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ଘଟଗାଁ ବଜାର ପରିକ୍ରମା କରିଥିଲେ। ପରେ ସେମାନେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ଅପରାହ୍ନରେ ଅନୁଷ୍ଠିତ ସାଂସ୍କୃତିକ ପ୍ରତିଯୋଗିତାରେ ତରା କ୍ଲଷ୍ଟର ଅନ୍ତର୍ଗତ ନୀଳକଣ୍ଠେଶ୍ୱର ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଢେଙ୍କିକୋଟ କ୍ଲଷ୍ଟରର ତାଣ୍ଡିବେଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ସାନ୍ତରାପୁର କ୍ଲଷ୍ଟରର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ତୃତୀୟ ସ୍ଥାନ ହାସଲ କରିଥିଲା।

ଉଦ୍‌ଯାପନୀ ଉତ୍ସବରେ ଘଟଗାଁ ବିଇଓ ହରେକୃଷ୍ଣ ନାୟକ, ଏବିଇଓ ସଞ୍ଜୟ କୁମାର ପଲେଇ ଓ ଘଟଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପାଲବଣି ସାହି ପ୍ରାଥମିକ ବିଦ୍ୟାଳୟ, ଶ୍ରେଷ୍ଠ ପାଚିକା-ସହାୟିକା ଭାବେ କୁସୁନପୁର ପ୍ରାଥମିକ ବିଦ୍ୟାଳୟର ମାଖନ ଲୋହାର, ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବେ ବର୍ହାଟିପୁରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଦ୍ୟ ସରସିତା ପହି, ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଭାବେ ଲକ୍ଷ୍ମୀନାରାୟଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସନ୍ତୋଷ ଶତପଥୀ ଏବଂ ଶ୍ରେଷ୍ଠ ସିଆରସିସି ଭାବେ ଧରଣୀଧର ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୋଟ ୯୧ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ସହ ଆସ୍ପାୟାର ସଂଗଠନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଆରସିସି ଆଶିଷ କୁମାର ବେହେରା, ଜିତେନ୍ଦ୍ର ଗିରି, ସୁଧାଂଶୁ ବେହେରା, ଶିକ୍ଷୟିତ୍ରୀ ସିମନ୍ ସ୍ମିତା ପୃଷ୍ଟି, ପ୍ରଧାନ ଶିକ୍ଷକ ସୁବର୍ଣ୍ଣ କୁମାର ପଲେଇ,କଳ୍ପତରୁ ନାଥ, ସ୍ମୃତିରେଖା ପଣ୍ଡା, ସନ୍ତୋଷ ମହାକୁଡ଼, ନବକୃଷ୍ଣ ରାଉତ, ପ୍ରଭାତ ରଞ୍ଜନ ମହାନ୍ତ, ପ୍ରଶାନ୍ତ କୁମାର ବେହେରା, ପ୍ରୀୟତ୍ ପ୍ରଜ୍ଞା ପାଢ଼ୀ, ଗୌରବ କୁମାର ସାହୁ, ଦେବଜ୍ୟୋତି ପରମାଣିକ, ସନ୍ତୋଷ ପଣ୍ଡା, ରମେଶ ଚନ୍ଦ୍ର ଓଝା, ଅଧ୍ୟାପକ ଅଲେଖ ଚନ୍ଦ୍ର ସାହୁ ଓ ଡଃ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଧୀରେନ କୁମାର ବେଜ, କନିଷ୍ଠ ସହାୟକ ଅମର କୁମାର ପାତ୍ର ଏବଂ କର୍ମଚାରୀ ନିବେଦିତା ସାହୁ, ନିବେଦିତା ବଳ ଓ ସବିତେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସିଆରସିସି କମଳାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *