ମୁଖ୍ୟ ସଚିବଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର,୨୨/୦୮/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର ସଫଳ କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥôକ ସଶକ୍ତିକରଣ ହୋଇପାରିବ, ସେଥିପାଇଁ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ସମୀକ୍ଷାରୁ ଜଣାଯାଇଛି ଯେ, କାମଧେନୁ ଯୋଜନାରେ ୨୦୨୪-୨୫ ଆର୍ଥôକ ବର୍ଷରେ ଗୋପାଳନ ଉପ- ଯୋଜନାରେ ୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୩୫,୪୯୪ ଆବେଦନ ହୋଇଥିଲା ଏବଂ ୨୮୯୨ ମଞ୍ଜୁର କରାଯାଇଥିବା ସ୍ଥଳେ ସେଥିରୁ ୧୭୨୭ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା । ଏ ବାବଦକୁ ୨୪.୫ କୋଟି ଟଙ୍କା ସବସିଡି ପ୍ରଦାନ କରାଯାଇଥିଲା । ସେହିପରି ୨୦୨୫-୨୬ ବର୍ଷରେ ୧୦,୦୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୨୩,୯୨୯ ଆବେଦନ ହୋଇଛି ଓ ସେଥିରୁ ଅଦ୍ୟାବଧି ୫,୩୮୫ ମଞ୍ଜୁର ହୋଇ ୫୯୬ ସମ୍ପୂର୍ଣ୍ଣ ପୂର୍ବକ ୮.୩୬ କୋଟି ଟଙ୍କା ସବସିଡି ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି ।

ଧାର୍ଯ୍ୟ ଲକ୍ଷ୍ୟ ଏକ ସୂଚକାଙ୍କ ହୋଇଥିବା ବେଳେ ଆବେଦନ ସଂଖ୍ୟା ସୀମୀତ ନୁହେଁ, ଅର୍ଥାତ ସର୍ବାଧିକ ଆବେଦନ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣ କରାଯିବା ନେଇ ବ୍ୟବସ୍ଥା ରହିଛି । କାମଧେନୁ ଯୋଜନାରେ ଅଦ୍ୟାବଧି ୪,୫୩୨ ଗାଈ ପ୍ରଦାନ କରାଯାଇଛି, ଯଦ୍ୱାରା ଓଡ଼ିଶାରେ ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ ୪୫,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗ ହୋଇପାରିଛି । ସେହିପରି ୨୦୨୪-୨୫ ବର୍ଷରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ଟି ପ୍ରକଳ୍ପ ଶେଷ ହୋଇ ଥିବା ବେଳେ ୮.୧୫ କୋଟି ସବସିଡି ପ୍ରଦାନ କରାଯାଇଛି ଏବଂ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ୭୫ ପ୍ରକଳ୍ପ ମଞ୍ଜୁର ହୋଇ ୧.୦୨ କୋଟି ଟଙ୍କା ସବସିଡି ପ୍ରଦାନ କରାଯାଇଛି । ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ସେମାନେ ଦୈନିକ ୧୦,୦୮୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗଦାନ ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମର୍ସିଆଲ ଡାଏରୀ ଫାର୍ମିଂ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୨୦୨୪-୨୫ ବର୍ଷରେ ୭୧୬ ଆବେଦନ ଗ୍ରହଣ କରାଇବାବେଳେ ୬୨୬ ଆବେଦନକୁ ମଞ୍ଜୁରି ମିଳିଛି ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ । ୨୦୨୫-୨୬ ରେ ଆବେଦନ କରିଥିବା ୨୭୨ରୁ ୧୪୪ ଆବେଦନ ମଞ୍ଜୁର ହୋଇ ୧୧୫୨ ପ୍ରାଣୀ ପାଳନକୁ ମଞ୍ଜୁରି ମିଳିଛି । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି । ପ୍ରାଣୀମାନଙ୍କୁ କିପରି ସନ୍ତୁଳିତ ପୋଷଣ ମିଳିପାରିବ, ସେଥିପାଇଁ ଗୋଖାଦ୍ୟ-ଉଦ୍ୟୋଗ ସ୍କିମ୍ କାର୍ଯ୍ୟକାରୀ ହୋଇଛି ।

୮୫ ପ୍ରତିଶତ ହିତାଧିକାରୀ ଗୋ-ଖାଦ୍ୟ ପାଇଁ ଘାସ ଚାଷ କରି ନିଜ ନିଜର ଗୋ-ପାଳନ ପାଇଁ ବ୍ୟବହାର କରୁଛନ୍ତି । ଏଥିରେ ବ୍ୟକ୍ତିଗତ ବା ଗୃପ୍ ପିଛା ଏକର ପ୍ରତି ୩୫,୦୦୦ ସବସିଡି ରହିଛି । ଏଥିରେ ଦେୟ ମୁକ୍ତ ମିନି କିଟ୍ ( ମକା ଓ ବରଗୁଡ଼ି ମଞ୍ଜି ) ବଂଟନ କରାଯାଉଛି । ମାଈ ବାଛୁରୀ ପାଳନ ଯୋଜନାରେ ୫୦% ସବସିଡି ଗୋଖାଦ୍ୟ ପାଇଁ ଏବଂ ୧୦୦% ବୀମା ସବସିଡି ବ୍ୟବସ୍ଥା ରହିଛି । ଏହି ସ୍କିମରେ ୨୦୨୪-୨୫ ରେ ୬୨୩ ଘାସ ଚାଷ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ୨୦୨୫-୨୬ ରେ ଅଦ୍ୟାବଧି ୧୮୫ ଘାସ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *