ଜିଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବେଠକ

କେନ୍ଦ୍ରାପଡ଼ା,୨୦/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲା ଯୁବ ରେଡକ୍ରସର ସଭାପତି ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କ ପୌରୋହିତ୍ୟରେ ବୁଧବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲାର ୩୦ଟି ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶଦାତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଯୁବ ରେଡକ୍ରସର ଜିଲା ଆବାହକ ତଥା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ କାର୍ଯ୍ୟକାରିଣୀର ଉଦେଶ୍ୟ ଜ୍ଞାପନ କରିଥିଲେ । ଜିଲା ସଂଯୋଜକ ରତ୍ନାକର ସେଠୀ ଜିଲା ଯୁବରେଡକ୍ରସ ପକ୍ଷରୁ ୨୦୨୪-୨୫ବର୍ଷରେ ହୋଇଥିବା କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ‘ଦାନା’ ବାତ୍ୟା ସମୟରେ ଜିଲା ପ୍ରଶାସନର ସହଯୋଗରେ କେନ୍ଦ୍ରାପଡା ଯୁବରେଡକ୍ରସ ଦ୍ୱାରା ରାଜନଗରରେ ରିଲିଫ ପ୍ରଦାନ କାର୍ଯ୍ୟ ପରିଚାଳନାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।

୨୦୨୫-୨୬ ବର୍ଷରେ ଜିଲା ଯୁବରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ସଡକ ସୁରକ୍ଷା ଓ ନିଶାମୁକ୍ତି ଅଭିଯାନ ପ୍ରମୁଖ ୧୨ଟି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତବର୍ଷ ମାର୍ଶାଘାଇ ମହାବିଦ୍ୟାଳୟରେ ଜିଲା ସ୍ତରୀୟ ଜ୍ଞାନ ଆହରଣ ଓ ପ୍ରଶିକ୍ଷଣ ଶିବିର, ଚାନ୍ଦୋଳସ୍ଥିତ ହୃଦାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଜିଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହେବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି । ଶେଷରେ ଡ. ହିମାଂଶୁ ଭୂଷଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡକ୍ରସର ସ୍ୱେଛାସେବୀ ତଥା କେନ୍ଦ୍ରାପଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମନୋଜ କୁମାର ଲେଙ୍କା, ଉମେଶ ଆଚାର୍ଯ୍ୟ, ଭବାନୀଶଙ୍କର ପ୍ରଧାନ, ସ୍ମୃତିସଂଜିବନୀ ନାୟକ, ପି.ସି.ଶୁଭମଶେଖର, ଅର୍ପିତା ମାଟି, ଅନିତା ପ୍ରଧାନ, ସୌମ୍ୟରଞ୍ଜନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *