ଭୁବନେଶ୍ୱର,୦୯/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ବିଧାନସଭାର ନୂତନ ୱେବ୍ ସାଇଟ୍ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍ ସାଇଟ୍ କୁ ଉନ୍ମୋଚନ କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ ୱେବ୍ ସାଇଟ୍ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତି ଏବଂ ପଦକ୍ଷେପ ବିଷୟରେ ସଠିକ୍ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ।

ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା କ୍ଷେତ୍ରରେ ପ୍ରତିବଦ୍ଧତାର ଏକ ନିଦର୍ଶନ । ଏହି ପ୍ଲାଟଫର୍ମ କେବଳ ବିଧାନସଭାର କାର୍ଯ୍ୟକାରିତାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବ । ଚଳିତ ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଉପାଧ୍ୟକ୍ଷ ଏବଂ ସଂସଦର ଉଭୟ ଗୃହ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିମାନଙ୍କର ଅଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅତିଥିମାନେ ଏହି ନୂତନ ୱେବସାଇଟ୍ ରେ ପାର୍ଲାମେଂଟ ଦ୍ୱାରା ପ୍ରଦତ ଲିଙ୍କ୍ ରେ ରେଜିଷ୍ଟେସନ୍ କରିବାର ସୁବିଧା ପାଇବେ । ଏହି ଅବସରରେ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଓକାକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ବିଧାନସଭାରେ କାର୍ଯ୍ୟରତ ଏନଆଇସିର ଯୁଗ୍ମ ନିର୍ଦ୍ଧେଶକ ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
