କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, ୨୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆଣ୍ଟି ରାଗିଂ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ତିନିଶହରୁ ଉଦ୍ଧ୍ୱର୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଗିଂ ସମ୍ପର୍କରେ ସଚେତନ କରାଯାଇଥିଲା ।

ମହାବିଦ୍ୟାଳୟର କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଶାରିରୀକ, ମାନସିକ ବା ଆର୍ଥିକ ଭାବରେ ରାଗିଂ ନକରିବାକୁ ପରାମର୍ଶ ଦିଆଯାଇଥିଲା । ଯଦି କୌଣସି ଛାତ୍ର ବା ଛାତ୍ରୀ ଏଭଳି କୌଣସି ରାଗିଂର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ଏସମ୍ପର୍କରେ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସେଲକୁ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା । ଚଳିତମାସ ୧୨ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟରେ ଏହି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇ.କୁ୍ୟ.ଏ.ସି. ସଂଯୋଜକ ଡ. ଦୀପ୍ତି ରାୟ, ବାଣିଜ୍ୟ ବିଭାଗ ମୁଖ୍ୟ ୱାଇ. ପଦ୍ମାବତୀ, ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଡ. ସୁରେଶ ଚନ୍ଦ୍ର ଦାସ, ମନୋଜ ପ୍ରଧାନ, ବାବୁଲା ବେହେରା, ଗିରିଶ କୁମାର ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଣ୍ଟି ରାଗିଂ ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *