ଭୁବନେଶ୍ଵର, ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)-ଓଡ଼ିଶାର ସର୍ବପ୍ରଥମ ବିପର୍ଯ୍ୟୟ ସହାୟତା ସାମାଜିକ ସଂଗଠନ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସମାଜସେବୀ ତଥା ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତଳମଣି ଗୋପବନ୍ଧୁ ଦାସ ଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟଧାରା ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିପର୍ଯ୍ୟୟ ଗ୍ରସ୍ତ ଅସହାୟବ୍ୟକ୍ତିଙ୍କୁ ସହାୟତା ଦେଇ ଆସିଛି। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତିକ୍ରମେ ଦୀର୍ଘ ଅବଧିପରେ ‘ସମାଜ’ ରିଲିଫ କମିଟିର ପୁନର୍ଗଠନ ହେବାସହ ଏଥିରେ ୬ଜଣ ସଦସ୍ୟ ଓ ୩ଜଣ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି। ସମାଜର ବିଭିନ୍ନ ବର୍ଗର ସେବାକ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କୁ ଏଥିରେ ସାମିଲ କରାଯାଇଛି।
ଡ. ପ୍ରଭାସ ରେଳବାଇ ଯନ୍ତ୍ରୀ ଭାବେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ୧୦ବର୍ଷରୁ ଉର୍ଦ୍ଧ ସମୟଧରି ଲୋକ ସେବକ ମଣ୍ଡଳରେ ସଦସ୍ୟ ରହି ଅବୈତନିକ ଭାବେ କାର୍ଯ୍ୟରତ ରହିଛନ୍ତି। ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ସତେଚନ ତାଜାଗ୍ରତ କରିବାରେ ସେ ଅଗ୍ରଦୂତ ଭାବେ ପରିଚିତ। ଇତିମଧ୍ୟରେ ସେ୫୦,୦୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ଅଙ୍ଗଦାନ ଓ ଶରୀର ଦାନ ପଞ୍ଜୀକରଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଡ. ଆଚାର୍ଯ୍ୟ ରାଜ୍ୟ ଓ ରାଜ୍ୟବାହାରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି।
