ଭୁବନେଶ୍ୱର,୨୦/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-NEET ସ୍ନାତକୋତ୍ତର (P.G.) ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୁଷନ ମହାପାତ୍ରଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସାମାଜିକ ଗଣ ମାଧ୍ୟମ ଏକ୍ସ ରେ ଲେଖିଛନ୍ତି :

NEET ସ୍ନାତକୋତ୍ତର (P.G.) ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୁଷନ ମହାପାତ୍ରଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜି କେବଳ ତୁମ ପାଇଁ କିମ୍ବା ତୁମ ପିତାମାତାଙ୍କ ପାଇଁ ଖୁସିର କଥା ନୁହେଁ, ସାରା ଓଡ଼ିଶା ପାଇଁ ଏକ ଖୁସିର ଦିନ।
ଏପରି ଏକ ଅତ୍ୟନ୍ତ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବା, ଏବଂ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିବା ନିଶ୍ଚିତ ଭାବେ କାଠିକର। କିନ୍ତୁ, ତୁମେ ତାହା କରି ଦେଖାଇଛ। ତୁମର ଏହି ସଫଳତା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଯୁବ ସମାଜ ପାଇଁ ଏକ ପ୍ରେରଣା। ଯିଏ ଯେଉଁ ପରୀକ୍ଷା କିମ୍ବା ସାକ୍ଷାତକାର ପାଇଁ ପ୍ରସ୍ତୁତ ହୁଅନ୍ତୁ ନା କାହିଁକି, ସବୁବେଳେ ନିଜ ଉପରେ, ନିଜ ପରିଶ୍ରମ ଉପରେ ଭରଷା ରଖିବା ଉଚିତ। ତୁମ ପରି ମେଧାବୀ, ପରିଶ୍ରମୀ ଓ ଉଦ୍ୟମୀଙ୍କର ସେବା ରାଜ୍ୟ ପାଇଁ ଆବଶ୍ୟକ। ମୁଁ ଆଶା କରୁଛି, ଆଗକୁ ଜଣେ ଭଲ ଡାକ୍ତର ହୋଇ ତୁମେ ରାଜ୍ୟବାସୀଙ୍କ ସେବା କରିବ। ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତୁମର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।
