କଟକ,୧୬/୦୮/୨୦୨୫ (ଓଡ଼ିଶା ସମାଚାର)- ହଜାର ବର୍ଷର ସହର କଟକ । ଐତିହ୍ୟ ପାଇଁ କଟକ ଯେତିକି ପରିଚିତ, କଟକର ଦହିବରା ଆଳୁଦମ୍ ସେତିକି ପ୍ରସିଦ୍ଧ । ଓଡିଆଙ୍କ ଲୋକପ୍ରିୟ ଖାଦ୍ୟରେ ଦହିବରା ଆଳୁଦମ୍ର ନାଁ ରହିଛି। କଟକର ଦହିବରା ଆଳୁଦମ୍ କଥା କହିଲେ ପ୍ରଥମେ ରଘୁ ମଉସାଙ୍କ ଦହିବରା କଥା ମନକୁ ଆସେ। ଦହିରେ ଭିଜା ବରା ସାଙ୍ଗକୁ ଆଳୁଦମ୍ ଖାଇବାକୁ ପ୍ରତିଦିନ ପ୍ରବଳ ଭିଡ ଜମେ।
କିନ୍ତୁ ଆଉ ମିଳିବନି ରଘୁ ମଉସାଙ୍କ ଦହିବରା। ରଘୁ ଦହିବରା ଖାଲି ଗୋଟିଏ ନାଁ ନଥିଲା, ଥିଲା ଗୋଟିଏ ବ୍ରାଣ୍ଡ। ଆଜି ସକାଳେ ପ୍ରସିଦ୍ଧ ଦହିବରା ଆଳୁଦମ୍ ବ୍ୟବସାୟୀ ରଘୁ ସାସ୍ମଲଙ୍କ ପରଲୋକ ଘଟିଛି। ୯୫ ବର୍ଷ ବୟସରେ କଟକ ବିଡାନାସୀ ଗୋପାଳ ସାହିରେ ତାଙ୍କର ଦେହାନ୍ତ ଘଟିଛି। ସେ ଦହିବରା ଆଳୁଦମ୍ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।
