ମୃତୁ୍ୟ ପରେ ଅଙ୍ଗ ଦାନ କରି ଜୀବନ ବଂଚାଇବା ଶ୍ରେଷ୍ଠ ମହାନୀୟତା’
ଭୁବନେଶ୍ୱର,୧୪/୦୮/୨୦୨୫ (ଓଡ଼ିଶା ସମାଚାର)- ଅଙ୍ଗଦାନ ଠାରୁ ମହତ କାର୍ଯ୍ୟ କିଛି ନାହିଁ । ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତାମାନେ ନୂତନ ଜୀବନ ଭରି ଦିଅନ୍ତି । ମୃତୁ୍ୟପରେ ଅଙ୍ଗ ଦାନ କରି ଜୀବନ ବଂଚାଇବା ଶ୍ରେଷ୍ଠ ମହାନୀୟତା ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ।

ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପାଳିତ ବିଶ୍ୱ ଅଙ୍ଗ ଦାନ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡ. ମହାଲିଙ୍ଗ ଏହା କହିଛନ୍ତି । ଏହି ଅବସରରେ ଅଙ୍ଗଦାନ କରିଥିବା ୨୪ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ‘ସୂରଜ ପୁରସ୍କାର’ ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ୱପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ବୋଲି ଡ. ମହାଲିଙ୍ଗ କହିଥିଲେ ।
ଝାରସୁଗୁଡାର ସ୍ୱର୍ଗତ ରଶ୍ମୀ ପ୍ରଭା ପଟେଲ, ନୟାଗଡ଼ର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ସ୍ୱର୍ଗତ ବିକାଶ କୁମାର ସାହୁ, କେନ୍ଦ୍ରାପଡ଼ା ଜିଲାର ସ୍ୱର୍ଗତ ମନୋଜ କୁମାର ସାହୁ, ବାଲେଶ୍ୱର ସ୍ୱର୍ଗତ ଅଲେଖ ପ୍ରସାଦ ପରିଡା , କଟକର ସ୍ୱର୍ଗତ ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ସ୍ୱର୍ଗତ ଲତା ମହାନ୍ତ, ସୁନ୍ଦରଗଡ଼ର ସ୍ୱର୍ଗତ ଜନ୍ମେଷ ଲେଙ୍କା, ଖୋର୍ଦ୍ଧାର ସ୍ୱର୍ଗତ ପ୍ରଦୀପ କୁମାର ଜେନା, ମୟୂରଭଞ୍ଜର ସ୍ୱର୍ଗତ ସ୍ୱଶ୍ରୀଆୟାନ ପାତ୍ର, ଅନୁଗୁଳ ଜିଲାର ସ୍ୱର୍ଗତ ବିଶ୍ୱଜିତ ଦାସ, ଖୋର୍ଦ୍ଧାର ସ୍ୱର୍ଗତ ଜୟନ୍ତ କୁମାର ଖମାରୀ , କେନ୍ଦ୍ରାପଡ଼ାର ସ୍ୱର୍ଗତ ଅଜୟ କୁମାର ଗିରି, କୋରାପୁଟର ସ୍ୱର୍ଗତ ଆଶିଷ ଛୁଆଳସିଂ, ରାୟଗଡ଼ାର ସ୍ୱର୍ଗତ ଚନ୍ଦ୍ରଶେଖର ନାୟକ, ଗଜପତିର ସ୍ୱର୍ଗତ ନରସିଂହ ପ୍ରସାଦ ମହାରଣା, ଗଜପତିର ସ୍ୱର୍ଗତ ପଣ୍ଡାଇ ଶବର, କେନ୍ଦ୍ରାପଡ଼ାର ସ୍ୱର୍ଗତ ଶରତ ଚନ୍ଦ୍ର ବିଶ୍ୱାଳ, ରାୟଗଡ଼ାର ସ୍ୱର୍ଗତ ପିଲାନ୍ତ ଶବର, ଗଜପତିର ସ୍ୱର୍ଗତ କେ ନରେଶ ପଟ୍ଟନାୟକ, ଗଜପତିର ସ୍ୱର୍ଗତ ଅରୁଣ ଭୂୟାଁ , ଖୋର୍ଦ୍ଧା ସ୍ୱର୍ଗତ ସୌମ୍ୟ ରଞ୍ଜନ ବେହେରା, ଭଦ୍ରକର ସ୍ୱର୍ଗତ ଶିବ ପ୍ରସାଦ ଜେନା, ଖୋର୍ଦ୍ଧାର ସ୍ୱର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ‘ସୂରଜ ପୁରସ୍କାର’ରେ ସମ୍ମାନିତ କରିବା ସହ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍, ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଡା. ଅମରେନ୍ଦ୍ର ସ୍ୱାଇଁ, ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲାର ଜିଲାପାଳ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ ଶାସନ ସଚିବ ଅରୁଣା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
